Categories: ଜାତୀୟ

ମନ୍ଦିର ବାବରଙ୍କ ନିର୍ଦ୍ଦେଶରେ ହୋଇଥିଲା ଭଙ୍ଗା: ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୮: ରାମଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏନେଇ ବୁଧବାର ରାମଲଲାଙ୍କ ଆଇଜନୀବୀ ସି.ଏସ୍‌. ବୈଦନାଥନ୍‌ ଐତିହାସିକ ଯୋଶେଫ୍‌ ଟାଇଫେନ୍ଥଲରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଆଧାରରେ କହିଥିଲେ ଯେ, ରାମଙ୍କ ସ୍ମୃତିରେ ସରଜୁ ନଦୀ କୂଳରେ କେତେକ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସେଥିମଧ୍ୟରେ ସ୍ବର୍ଗଦ୍ୱାର କୁହାଯାଉଥିବା ନିର୍ମାଣକୁ ଔରେଙ୍ଗଜେବ୍‌ଙ୍କ ନିର୍ଦ୍ଦେଶରେ ଭଙ୍ଗା ଯାଇଥିଲା। ସେହିପରି କେତେକ ନିର୍ମାଣ ବାବରଙ୍କ ନିର୍ଦ୍ଦେଶରେ ଭଙ୍ଗା ହୋଇଥିଲା। ବିଚାରପତି ଅଶୋକ ଭୁଷଣ ଛୋଟ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ଝୁଲା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହା ଜନ୍ମ ସ୍ଥଳ ପରିସରରେ ଥିଲା କି ବୋଲି ସେ ପଚାରିଥିଲେ। ଏହା ଜନ୍ମ ସ୍ଥଳରେ ଥିଲା ବୋଲି ବୈଦନାଥନ୍‌ କହିଥିଲେ। ସେହିପରି ବିଚାରପତି ଏସ୍‌.ଏ. ବୋବ୍‌ଦେ ମନ୍ଦିର କେବେ ଭଙ୍ଗା ଯାଇଥିଲା ସେ ନେଇ ପ୍ରଶ୍ନ କରିଥିଲେ। ଏହା ୧୭୮୬ ପୂର୍ବରୁ ହୋଇଥିବା ବୈଦନାଥନ୍‌ କହିଥିଲେ। ତେବେ ବାବରଙ୍କ ନିର୍ଦ୍ଦେଶରେ ମନ୍ଦିର ଭଙ୍ଗା ହୋଇଥିବା ପ୍ରମାଣ ସର୍ବୋଚ୍ଚ ନ୍ୟାୟାଳୟ ଲୋଡିଛନ୍ତି। ମନ୍ଦିର ବିବାଦୀୟ ସ୍ଥଳରେ ଥିବାନେଇ ବୈଦନାଥନ୍‌ ସ୍କନ୍ଦ ପୁରାଣରୁ ତଥ୍ୟ ପ୍ରଦାନ କରିଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ୫୭ ବର୍ଷ ପୂର୍ବରୁ ମନ୍ଦିର ନିର୍ମାଣ ହୋଇଥିବା ସେ ତଥ୍ୟ ଆଧାରରେ ସୂଚନା ଦେଇଛନ୍ତି।

Share