ସାକ୍ଷୀଗୋପାଳ,୨୫ା୪(ଡି.ଏନ୍.ଏ.): ରାତି ପାହିଲେ ଅକ୍ଷୟ ତୃତୀୟା। ରବିବାରଠାରୁ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରାକୁ କାଣ୍ଟଛାଣ୍ଟ କରି ବିନା ଭକ୍ତରେ କେବଳ ଠାକୁରଙ୍କ ଦେବନୀତି କରିବାକୁ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ମନ୍ଦିରଠାରୁ ଚନ୍ଦନ ମଣ୍ଡପ ଓ ଚାପ ସଜ୍ଜା କାମ ପୂର୍ଣ୍ଣାଙ୍ଗ ହୋଇଥିଲେ ମଧ୍ୟ ଶନିବାର ଏହି ନିଷ୍ପତ୍ତିରୁ ପ୍ରଶାସନ ଓହରି ଯାଇଛି। ଏନେଇ ମନ୍ଦିର କାର୍ଯ୍ୟାଳୟରେ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ମନ୍ଦିର କାର୍ଯ୍ୟନିିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ବାଇଁ ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ରଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମନ୍ଦିର ବେଢ଼ାରେ ଚନ୍ଦନ ନୀତି ପାଳନ କରିବାକୁ ସ୍ଥିର କରାଯାଇଛି। ରବିବାର ସକାଳେ ମନ୍ଦିର ସେବାୟତମାନଙ୍କ ସହିତ ଆଲୋଚନା କରାଯିବ। କରୋନା କଟକଣା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତମାନେ ସହଯୋଗ କରିବେ ବୋଲି ଜଣାପଡ଼ିଛି। ଫଳରେ ପୂର୍ବରୁ ଚନ୍ଦନ ସମୟରେ ଠାକୁରଙ୍କ ବାହାର ବିଜେ ଓ ଚାପଖେଳ ନୀତି ବ୍ୟାହତ ହେବ ବୋଲି କେତେକ ପୁରୁଖା ସେବାୟତ ମତ ରଖିଛନ୍ତି।