Categories: ରାଜ୍ୟ

ମନ୍ଦୋରଧରଙ୍କ ମନ ଦହି ପଖାଳରେ: ଗାଁକୁ ବିପଦ ଆସିଲେ ଶୁଭେ ବଂଶୀ ସୁର

ବଅଁରପାଳ, ୩୦।୫: ଗଡ଼ଦୁର୍ଗ ଭାବେ ପରିଚିତ ବଅଁରପାଳ ବ୍ଲକ ବଳରାମପ୍ରସାଦର ପାଟଣା ଠାରେ ରହିଛି ଅନେକ ଦେବଦେବୀ ପୀଠ। ହେଲେ ପ୍ରଭୁ ମନ୍ଦୋରଧର ସେଥିରୁ ଅନ୍ୟତମ। ବିଷ୍ଣୁଙ୍କ ଅବତାର ଭାବେ ରାଜାରାଜୁଡ଼ା ଅମଳରୁ ଠାକୁର ଏଠାରେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟେକ୍ଷ ଈଶ୍ୱର ବୋଲି ବିଶ୍ୱାସ କରାଯାଉଥିବା ମନ୍ଦୋରଧରଙ୍କ ଏହି ପୀଠ ଅତ୍ୟନ୍ତ ମନଲୋଭା ପରିବେଶ ମଧ୍ୟରେ ରହିଛି। କଳା ଚକ୍‌ଚକ ମୁଗୁନି ପଥରରେ ଶୋଭିତ ମନ୍ଦରଧରଙ୍କ ସହ ରହିଛନ୍ତି ୩୩ କୋଟି ଦେବତା। କୃଷ୍ଣଙ୍କ ବାଲ୍ୟଲୀଳାର ଦୃଶ୍ୟ ମଧ୍ୟ ରହିଛି ଏହି ପଥର ମୂର୍ତ୍ତି ମଧ୍ୟରେ।
ଗ୍ରାମର ବୟସ୍କମାନଙ୍କ କହିବା ଅନୁସାରେ, ୫ ଶହ ବର୍ଷ ପୂର୍ବେ ପ୍ରଭୁ ଏଠାରେ ବିରାଜମାନ ହୋଇଥିଲେ। ଅନୁଗୋଳ ରାଜାଙ୍କ ଏକ ଯଜ୍ଞ କାର୍ଯ୍ୟ ସଫଳ ହେବା ପାଇଁ ପୁରୀ ଜଗନ୍ନାଥ ଧାମରୁ ରାଜାଙ୍କ ସୈନ୍ୟମାନେ ପ୍ରଭୁ ମନ୍ଦୋରଧରଙ୍କୁ ହାତୀ ଉପରେ ବସାଇ ଅନୁଗୋଳ ଆଣୁଥିଲେ। ମାତ୍ର ବଳରାମପ୍ରସାଦଠାରେ ହାତୀ ଅଟକି ଯାଇଥିଲା। ଗୋଟିଏ ରାତ୍ରି ହାତୀ ଉପରେ ଠାକୁର ବିଶ୍ରାମ ନେଇଥିଲେ। ସକାଳେ ସୈନ୍ୟମାନେ ଯେତେ ଉଠାଇଲେ ମଧ୍ୟ ହାତୀ ଆଉ ଉଠି ପାରି ନ ଥିଲା। ଏହାପରେ ଗ୍ରାମର ମୁଖିଆଙ୍କୁ ଠାକୁର ମନ୍ଦୋରଧର ଏଠାରେ ପୂଜା ପାଇବେ ବୋଲି ସ୍ବପ୍ନାଦେଶ ହେଲା। ସେହିଦିନ ଠାରୁ ଗ୍ରାମବାସୀ ଠାକୁରଙ୍କୁ ଏଠାରେ ରଖି ପୂଜାର୍ଚ୍ଚନା କରି ଆସୁଛନ୍ତି। ପ୍ରଥମେ ଏକ ଚାଳ ଛପର ଘରେ ପୂଜା ହେଉଥିଲା। ପରେ ଗ୍ରାମବାସୀ ଆସ୍ଥାନସ୍ଥଳ ନିର୍ମାଣ କରିଥିଲେ। ଏବେ ଠାକୁର ମନ୍ଦିରରେ ପୂଜା ପାଉଛନ୍ତି। ଠାକୁରଙ୍କ ମହିମା ଏତେ ଯେ ଆକ୍ରମଣ କରିଥିବା କଳା ପାହାଡ଼ ମୂର୍ତ୍ତି ନେବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା। ପ୍ରଭୁ ମନ୍ଦୋରଧରଙ୍କ ନିକଟରେ ବହୁ ଭକ୍ତ ଅଧିଆ ପଡ଼ନ୍ତି। ବିଶେଷକରି ଦହି ପଖାଳ ଲାଗି ପାଇଁ ମାନସିକ କଲେ ପ୍ରଭୁ ଭକ୍ତଙ୍କ ମନବାଞ୍ଛା ପୂରଣ କରନ୍ତି ବୋଲି ପୂଜକ ମୁରଲୀ ମହାପାତ୍ର(୭୦) କହିଛନ୍ତି। ସେହିପରି ରାତିରେ ପ୍ରଭୁଙ୍କ କଠଉ ଶବ୍ଦ ଓ ବଂଶୀ ସୁର ଶୁଭିଲେ ଗ୍ରାମ ପ୍ରତି ବିପଦ ରହିଥିବା ବିଶ୍ୱାସ କରାଯାଏ ବୋଲି ଗ୍ରାମର କୁତାର୍ଥ ଚନ୍ଦ୍ର ସିଂ କହିଛନ୍ତି। ଚକ୍ରଧର ମହାପାତ୍ର କହିଛନ୍ତି, ଦୈନିକ ଦେଢ଼ମାଣ ଚାଉଳରେ ଠାକୁରଙ୍କ ନୀତି ହୋଇଥାଏ। ଭକ୍ତମାନେ ଏଠାରେ ପ୍ରସାଦ ସେବନ କରନ୍ତି। କେବେ ବି କୌଣସି ଶ୍ରଦ୍ଧାଳୁ ଏଠାରୁ ଉପବାସରେ ଫେରିନାହାନ୍ତି। ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ତିଥିରେ ପ୍ରଭୁଙ୍କ ବଡ଼ ଉତ୍ସବ ପାଳିତ ହୁଏ। ଏଥିପାଇଁ ଗ୍ରାମବାସୀ ଏକାଠି ହୋଇ ବଡ଼ ଧରଣର ଆୟୋଜନ କରିଥାନ୍ତି ବୋଲି ମହାପାତ୍ର କହିଛନ୍ତି।
(ଉପେନ୍ଦ୍ର ରାଉତ)

Share