ମନ୍ମଥ ଶତପଥୀଙ୍କୁ ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ବିଶିଷ୍ଟ ଲୋକସଂସ୍କୃତି ଗବେଷକ ଡ. ମନ୍ମଥ ଶତପଥୀଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଛି। ଖ୍ୟାତନାମା ନାଟ୍ୟକାର, ଅନୁବାଦକ, ସଂସ୍କୃତିକର୍ମୀ ଓ ଲୋକସଂସ୍କୃତି ବିଶାରଦ ସ୍ବର୍ଗୀୟ ସୁରେଶ ବଳବନ୍ତରାୟଙ୍କ ୬୬ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡ. ଶତପଥୀଙ୍କୁ ଲୋକସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ସୁରେଶ ବଳବନ୍ତରାୟ ଫାଉଣ୍ଡେଶନ୍‌ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏମ୍‌ପି ତଥା ସାହିତି୍ୟକ ଡ. ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଲୋକନାଟକ କ୍ଷେତ୍ରରେ ରହିଥିବା କୃତିତ୍ୱ ଓ ଆହ୍ବାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଫାଉଣ୍ଡେଶନ୍‌ର ସଭାପତି ଡ. ହରେକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ସ୍ବାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ସୁଶ୍ରୀ ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ ଓ ଫାଉଣ୍ଡେଶନ୍‌ର ସମ୍ପାଦିକା ଅଧ୍ୟାପିକା ଅନ୍ୟା ଅନୁରୂପା ଧନ୍ୟବାଦ ଅର୍ପଣ କରିଥିଲେ। ଫାଉଣ୍ଡେଶନ୍‌ ପକ୍ଷରୁ ଏଣିକି ପ୍ରତି ତିନି ମାସରେ ଲୋକସଂସ୍କୃତି ଆଲୋଚନା ଓ ପ୍ରଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

Share