Categories: ଜାତୀୟ

ମନ୍‌ କି ବାତ୍‌: ୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛ ବିଷୟରେ ସୂଚନା ଦେଲେ ମୋଦି

ନୂଆଦିଲ୍ଲୀ, ୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୨ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମେଘାଳୟର ଗୁମ୍ଫାରେ ମିଳୁଥିବା ଏକ ଦୁର୍ଲଭ ପ୍ରଜାତିର ମାଛ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ଭାରତ ଜୈବ ବିବିଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କିଛି ଦିନ ତଳେ ଏହି ପ୍ରଜାତିର ମାଛ ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବାର ସନ୍ଧାନ ମିଳିଥିଲା। ମେଘାଳୟର ପାହାଡ଼ିଆ ଅଞ୍ଚଳରୁ ସନ୍ଧାନ ମିଳିଥିବା ଏହି ପ୍ରଜାତିର ମାଛର ଓଜନ ପ୍ରାୟ ଏକ କିଲୋଗ୍ରାମ୍‌ ରହିଛି। ଏଠାରେ ୨୫୦ରୁ ଅଧିକ ପ୍ରଜାତିର ମାଛ ମାଟି ତଳେ ବାସ କରିଥାନ୍ତି। ମିଳିଥିବା ଏହି ନୂଆ ମାଛ ସେସବୁ ପ୍ରଜାତିଠାରୁ ଆକାରରେ ୧୦ଗୁଣା ଅଧିକ ବଡ଼ ବୋଲି ଗବେଷକ କହିଥିଲେ। ନ୍ୟାଶନାଲ ଜିଓଗ୍ରାଫିକ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଥିଲା। ମେଘାଳୟର ପୂର୍ବଅଞ୍ଚଳରେ ଥିବା ଓମ୍‌ ଲଡୋ ଗୁମ୍ପାରୁ ଏହି ମାଛ ମିଳିଥିଲା। ଏଠାରେ ୨୦ ବର୍ଷ ଧରି ଫଟୋଗ୍ରାଫି କରୁଥିବା ଫଟୋଗ୍ରାଫର ରୋବି ଶୀନ୍‌ ମାଛର ଫଟୋକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ସମୁଦ୍ର ପତ୍ତନଠାରୁ ଏତେ ତଳେ ଏଭଳି ମାଛ ବାସ କରୁଥିବା ସେ ପୂର୍ବରୁ କେବେ ଦେଖି ନ ଥିବା କହିଥିଲେ। ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଏହି ମାଛ ସମ୍ପର୍କରେ ପ୍ରକାଶ କରିବା ପରେ ରୋବି ଶୀନ୍‌ଙ୍କ ଫଟୋକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

Share