ମନ କିଣେ ବାବୁଲିଙ୍କ ଦହିବରା

କେନ୍ଦୁଝର, ୨୬ା୭(ଡି.ଏନ.ଏ.)-ଆଳୁଦମ ଦହିବରା ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଆସେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲ ପାଆନ୍ତି। ଗୋଟିଏ ପ୍ଲେଟ ଖାଇଲେ ପେଟ ପୂରିଯାଏ। ଆଳୁଦମ ଦହିବରା ସାଙ୍ଗକୁ ଦହି ପାଣିର ସ୍ବାଦ କହିଲେ ନ ସରେ। ଏହିଭଳି ଜଣେ ଦହିବରା ବେପାରି କେନ୍ଦୁଝର ସହରରେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ଏତେ ସୁଆଦିଆ ତାଙ୍କ ଦହିବରା ଲୋକଙ୍କ ମନକୁ କିଣିଥାଏ ବୋଲି କେତେକ ଗ୍ରାହକ ପ୍ରକାଶ କରିଛନ୍ତି।
ତାଙ୍କ ନାମ ବସନ୍ତ ସାହୁ। ବାପାଙ୍କ ନାମ ସୁଦର୍ଶନ ସାହୁ। ତାଙ୍କ ଡାକ ନାମ ବାବୁଲି। ବାବୁଲି ନାମରେ ସେ ବେଶ ପରିଚିତ। ସକାଳ ୭ଟା ବାଜିଲେ ଜୁଡିସିଆଲ କୋର୍ଟ ସମ୍ମୁଖରେ ଏକ ଛତା ଲାଗେ ତା’ତଳେ ଏକ ଲୁନା ଆସି ଠିଆ ହୁଏ। ଆରମ୍ଭ ହୋଇଯାଏ ବାବୁଲିଙ୍କ ଦହିବରା ଆଳୁଦମ ବିକ୍ରି। ସେ ୧୧ବର୍ଷ ପୂର୍ବେ ସୁଦୁର ଚର୍ଚ୍ଚିକା ବାଙ୍କି ଅଞ୍ଚଳର କେନ୍ଦୁପଲ୍ଲୀ ଗ୍ରାମରୁ ଆସି କେନ୍ଦୁଝର ନରଣପୁରରେ ପରିବାର ସହ ରହି ଦହିବରା ଆଳୁଦମ ବେପାର କରୁଛନ୍ତି। ଘରେ ତାଙ୍କ ସହଧର୍ମିଣୀ ପ୍ରତିମା ଦହିବରା, ଆଳୁଦମ ଓ ଘୁଗୁନି ପ୍ରଭୃତି ପ୍ରସ୍ତୁତିରେ ସାହାଯ୍ୟ କରନ୍ତି। ତାଙ୍କର ୨ ପୁଅ ସ୍କୁଲରେ ପାଠ ପଢୁଛନ୍ତି। ଦହିବରା ଆଳୁଦମ ବିକ୍ରି କରି ବେଶ ଭଲ ରୋଜଗାର କରି ପରିବାର ଚଳାଉଥିବା ବାବୁଲି ପ୍ରକାଶ କରିଛନ୍ତି। ସକାଳ ୭ଟାରୁ ବିକ୍ରି ଆରମ୍ଭ କରି ୧୦ ଘଟିକା ମଧ୍ୟରେ ସବୁ ସରିଗଲା ପରେ ଘରକୁ ଫେରି ପୁଣି ତା’ ପରଦିନ ପାଇଁ ପ୍ରସ୍ତୁତ ହୁଅନ୍ତି। ବହୁତ ଯୁବକ ଓ ଛାତ୍ର ତାଙ୍କର ନିୟମିତ ଗରାଖ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କଠାରୁ ଦହିବରା ଆଳୁଦମ ଖାଉଥିବା ଜଣେ ଗ୍ରାହକଙ୍କୁ ଏହାର ସ୍ବାଦ ବାବଦରେ ପଚାରିବାରୁ ଦହିବରା ଓ ଆଳୁଦମର ସ୍ବାଦ ଅନ୍ୟ ବ୍ୟବସାୟୀଙ୍କଠାରୁ ନିଶ୍ଚିତ ଭାବରେ ଭିନ୍ନ ଓ ନିଆରା ବୋଲି କହିଥିବାବେଳେ ସବୁଠାରୁ ବଡ କଥା ହେଲା ବାବୁଲିଙ୍କର ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ସେମାନଙ୍କୁ ଆକୃଷ୍ଟ କରିଥାଏ।

(ଦୀପକ ମିଶ୍ର)