Categories: ଖେଳ

ମନ ଜିଣିଲେ କୋହଲି

ଇନ୍ଦୋର,୧୫।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ନିଜ ବ୍ୟାଟିଂ ପାଇଁ ନୁହେଁ ବରଂ ଭିନ୍ନ କାରଣ ଲାଗି ପ୍ରଶଂସକଙ୍କ ମନ ଜିଣିଛନ୍ତି। ହୋଲ୍‌କାର ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଉପସ୍ଥିତ ଦର୍ଶକଙ୍କୁ ସାଥୀ ଖେଳାଳି ମହମ୍ମଦ ସାମିଙ୍କୁ ଉତ୍ସାହିତ କରିବାକୁ ନିବେଦନ କରିଥିଲେ କୋହଲି। ଏହାର ପରବର୍ତ୍ତୀ ବଲରେ ସାମି ପ୍ରତିପକ୍ଷ ଦଳର ମେହିଦି ହାସନଙ୍କୁ ପ୍ରଥମ ବଲରେ ଆଉଟ୍‌ କରିଥିଲେ। ଏହି ଘଟଣା ବାଂଲାଦେଶ ଇନିଂସର ୫୪ତମ ଓଭରରେ ଘଟିଥିଲା। ୨୦୧୯ ବିଶ୍ୱକପ୍‌ରେ ହ୍ୟାଟ୍ରିକ ନେଇଥିବା ସାମି ପ୍ରଥମ ବଲରେ ମୁସଫିକର ରହିମ (୪୩)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ। ଏହାସତ୍ତ୍ୱେ ସାମିଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଉପସ୍ଥିତ ଦର୍ଶକ ଡାକ ଛାଡ଼ୁଥିଲେ କୋହଲି …କୋହଲି। ଏଥିଯୋଗୁ କୋହଲି ବାଧ୍ୟ ହୋଇ ସାମିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକଙ୍କୁ ନିବେଦନ କରିଥିଲେ। ଏହାର ପରବର୍ତ୍ତୀ ବଲରେ ହସନ(୦)ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରି ପ୍ୟାଭେଲିଅନ ରାସ୍ତା ଦେଖାଥିଲେ। ମାତ୍ର ହ୍ୟାଟ୍ରିକ ବଲରେ ସଫଳତା ପାଇ ନ ଥିଲେ ସାମି। ଉକ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। କ୍ରିକେଟ ପ୍ରଶଂସକମାନେ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଉଲ୍ଲେଖଥାଉ କି, ବାଂଲାଦେଶ ମାତ୍ର ୧୫୦ ରନ୍‌ରେ ସୀମିତ ରହିଥିଲା। ସାମି ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ଉମେଶ ଯାଦବ, ଈଶାନ୍ତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ୨ ଲେଖାଏ ଉଇକେଟ ହାତେଇଥିଲେ।

Share