ମନ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ: ବାଗ୍‌ଚୀ

ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି। ୨୧ ଦିନିଆ ତାଲାବନ୍ଦ ଗତ ୨୪ ତାରିଖ ମଧ୍ୟରାତ୍ରିରୁ ଜାରି ରହିଛି। ଆଉ ଓଡ଼ିଶାରେ ମଧ୍ୟ କରୋନାକୁ ହରାଇବା ପାଇଁ ଲୋକେ ସଚେତନ ହେଉଛନ୍ତି। ହେଲେ ଲକଡାଉନ୍‌ ସମୟରେ ଘରେ ରହିବା ସମୟରେ କ’ଣ କରିବେ ଓ କ’ଣ ନ କରିବେ ସେନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗଚୀ ପରାମର୍ଶ ଦେଇଛନ୍ତି। ବୁଧବାର ରାଜ୍ୟରେ କରୋନା ସ୍ଥିତିକୁ ନେଇ ସୂଚନା ଦେଉଥିବାବେଳେ ବାଗଚୀ କହିଛନ୍ତି, କରୋନା ମୁକାବିଲା ଏକ ଲମ୍ବା ଦୌଡ଼। କରୋନା ଲଢ଼େଇ ଆଜିକାଲି ଭିତରେ ସମାପ୍ତ ହେବନି। ତେଣୁ ମନକୁ ଶାନ୍ତ ରଖି ଧୈର୍ଯ୍ୟ ରଖ। ମନକୁ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ ବୋଲି କହିଛନ୍ତି। ଆହୁରି ମଧ୍ୟ ସେ ପରାମର୍ଶ ଦେଇ କହିଛନ୍ତି, ନିଜକୁ ଓ ନିଜ ପ୍ରିୟଜନଙ୍କୁ ଦେଖି ମନକୁ ସାନ୍ତ୍ୱନା ଦିଅନ୍ତୁ। ଘର ଭିତରେ ଅଟକ ଅବସ୍ଥାରେ ଶାରୀରିକ ପରିଶ୍ରମ କରନ୍ତୁ। କାରଣ ଶାରୀରିକ ପରିଶ୍ରମ ନ କଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଏକାଠି ଖିଆପିଆ କରନ୍ତୁ। ସାଙ୍ଗ ହୋଇ ସମୟ ବିତାନ୍ତୁ। ଅଳ୍ପ ଖାଆନ୍ତୁ ଏବଂ ସାରା ଦେଶବାସୀ କଥା ଚିନ୍ତା କରନ୍ତୁ। ମା’, ଭଉଣୀ, ସ୍ତ୍ରୀଙ୍କୁ କାମରେ ସାହାଯ୍ୟ କରିବା ପାଇଁ ମଧ୍ୟ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ, ବୟସ୍କ, ଭିନ୍ନକ୍ଷମ ସଦସ୍ୟଙ୍କ ଆଦର ଯତ୍ନ କରନ୍ତୁ। ଶେଷରେ ଶାରିରୀକ ଦୂରତ୍ୱ ରଖିବା, କିନ୍ତୁ ମାନସିକ ମିଳନ ବଜାୟ ରଖିବା ବୋଲି ବାଗ୍‌ଚୀ କହିଛନ୍ତି।

Share