Categories: ଜାତୀୟ

ମମତାଙ୍କୁ ମୋଦିଙ୍କ ଚ୍ୟାଲେଞ୍ଜ୍‌: ଆଜି ପଶ୍ଚିମବଙ୍ଗ ଯିବି, ଦେଖିବା କ’ଣ ହେଉଛି

ଲକ୍ଷ୍ନୌ, ୧୬।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କୋଲକାତାରେ ମଙ୍ଗଳବାର ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ଶୋ’ ବେଳେ ସୃଷ୍ଟି ହୋଇଥିବା ଗଣ୍ଡଗୋଳକୁ ନେଇ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଏ ରାଜନୀତି ତୀବ୍ର ହୋଇଛି। ଗଣ୍ଡଗୋଳକୁ ନେଇ ବିଜେପି ଓ ଟିଏମସି ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି। ଏସବୁ ଭିତରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗସ୍ତରେ ଯାଇ ଦୁଇଟି ରାଲିକୁ ସମ୍ବୋଧିତ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି ମୋଦି। ବୁଧବାର ପୁଣି ପଶ୍ଚିମବଙ୍ଗରେ ମୋର ରାଲି ଅଛି। ଦେଖାଯାଉ ଦିଦି(ମମତା ବାନାର୍ଜି)ମୋ ରାଲି କରାଇ ଦେଉଛନ୍ତି କି ନାହିଁ ବୋଲି ମୋଦି କହିଛନ୍ତି। ଭାଜପା ରାଲିକୁ ଅଟକାଇ ରାଜ୍ୟରେ ଯେଉଁ ଅରାଜକତା ସୃଷ୍ଟି କରାଯାଉଛି ତାହା ବେଶୀ ଦିନ ଚାଲିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ହିଂସାକାଣ୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ଦାୟୀ କରିଥିବା ବେଳେ ଭାଜପା ପାଲଟା ଅଭିଯୋଗ ଆଣିଛି।

Share