Categories: ଜାତୀୟ

ସୁରକ୍ଷା ପ୍ରତିଶ୍ରୁତି ଦେଲେ ମମତା: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡାକ୍ତର ରାଜି

କୋଲକାତା,୧୭ା୬(ପି.ଟି.)
ପଶ୍ଚିମବଙ୍ଗରେ ୨ ଜଣ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସପ୍ତାହେ ହେଲା ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ପାଇଁ ନୂଆ ସୁରକ୍ଷା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମମତାଙ୍କ ସହ ଆଲୋଚନା ପରେ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ରାଜି ହୋଇଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଆନ୍ଦୋଳନରତ ଡାକ୍ତରମାନଙ୍କ ପ୍ରତିନିଧିଙ୍କୁ ଭେଟି ସୁରକ୍ଷା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ଲାଗି ନୋଡାଲ ଅଫିସର ନିଯୁକ୍ତ କରିବାକୁ ସେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ୩୧ ଜଣ ଜୁନିୟର ଡାକ୍ତରଙ୍କ ସହ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ରୁଦ୍ଧଦ୍ୱାର ବୈଠକ କରିବାକୁ ଚାହୁଁଥିବା ମମତା ଗଣମାଧ୍ୟମ ସମ୍ମୁଖରେ ଆଲୋଚନା ପାଇଁ ରାଜି ହୋଇଥିଲେ। କୌଣସି ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହେବନି ବୋଲି ମମତା ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ସନ୍ତୁଷ୍ଟ ବୋଲି ଡାକ୍ତରମାନଙ୍କର ଜଣେ ପ୍ରତିନିଧି ଗଣମାଧ୍ୟମକୁ କହିଛନ୍ତି। ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଜଣାପଡିଛି। ଉକ୍ତ ହସ୍ପିଟାଲରେ ସୋମବାର ରାତିରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କର ସମ୍ପର୍କୀୟମାନେ ଦୁଇଜଣ ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଏବଂ ଡାକ୍ତରମାନଙ୍କ ସୁରକ୍ଷା ଦାବି କରି ସେଠାରେ ସପ୍ତାହେ ହେଲା ଆନ୍ଦୋଳନ ଜାରି ରହିବା ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। କାର୍ଯ୍ୟରେ ତୁରନ୍ତ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମମତାଙ୍କ ଚେତାବନୀକୁ ଡାକ୍ତରମାନେ ଗ୍ରହଣ କରି ନ ଥିଲେ। ପଶ୍ଚିମବଙ୍ଗ ଡାକ୍ତରଙ୍କ ସମର୍ଥନରେ ଭାରତୀୟ ମେଡିକାଲ ସଂଘ ଏବଂ ବିଭିନ୍ନ ସଂଗଠନ ବାହାରିବା ପରେ ମମତ ମୁଣ୍ଡ ନୁଆଁଇଥିଲେ। ସେ ଡାକ୍ତରମାନଙ୍କ ସମସ୍ତ ଦାବି ପୂରଣ କରିବେ ବୋଲି କହିବା ପରେ ସୋମବାର ଆଲୋଚନା ପାଇଁ ଜୁନିୟର ଡାକ୍ତର ସଂଘ ରାଜି ହୋଇଥିଲା।

Share