ମରଣଯନ୍ତା ପାଲଟିଛି କିଡ୍‌କୋ ରାସ୍ତା

ଝୁମ୍ପୁରା, ୧୨।୯(ଡି.ଏନ.ଏ.)-ପଳାଶପଙ୍ଗାଠାରେ ୨୦ନଂ ଜାତୀୟ ରାଜପଥକୁ ଗୋଟିଏ ପାର୍ଶ୍ୱରେ କିଡ୍‌କୋ ରାସ୍ତା ସଂଯୋଗ କରୁଥିବାବେଳେ ଅନ୍ୟପାର୍ଶ୍ୱରେ ବାମେବାରୀ ରାଜ୍ୟ ରାଜପଥକୁ ସଂଯୋଗ କରୁଛି। ଯୋଡା ଖଣି ମଣ୍ଡଳରୁ ଟ୍ରକ ଯୋଗେ ଖଣିଜ ପରିବହନ ହେଉଥିବା ଏହି କିଡ୍‌କୋ ରାସ୍ତା ଖଣିଜ ପରିବହନ ସହିତ ରାସ୍ତା ପାର୍ଶ୍ୱରେ ନୟାଗଡ, ପ୍ରଜନପୁର ରେଲୱେ ସାଇଡିଙ୍ଗ ଥିବାରୁ ଏହା ବହୁତ ଗୁରୁତ୍ୱ ବହନ କରୁଛି । ଦିନରାତି ସବୁ ସମୟରେ ହଜାର ହଜାର ଖଣିଜ ବୋଝେଇ ଟ୍ରକ ଚଳାଚଳ ହୋଇଥାଏ। କିଡ୍‌କୋ ରାସ୍ତାର ଦୁଇ ପାର୍ଶ୍ୱରେ ୨ଟି ଟୋଲ୍‌ ଗେଟ ବସାଯାଇ ଟୋଲ୍‌ ଆଦାୟ ମଧ୍ୟ ଚାଲିଛି। ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ମରାମତି ହେଉନାହିଁ। କିଡ୍‌କୋ ରାସ୍ତାର ପଳାଶପଙ୍ଗାଠାରୁ ପ୍ରଜନପୁର ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ୭କି.ମି. ପିଚୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ସାରା ପିଚୁ ଉପରେ ବଡ ବଡ ଗାଢ ହୋଇ ପାଣି ଭରି ରହିଛି। ଉକ୍ତ ରାସ୍ତାରେ ସାଧାରଣ ପଥଚାରୀ, ବାଇକ ଆରୋହୀ ଯିବାକୁ ଭୟ କରୁଛନ୍ତି। ପ୍ରତ୍ୟହ ଦୁର୍ଘଟଣା ଘଟି ମୃତାହତଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ସମୁଦାୟ ୨୮କି.ମି.ରୁ ଊର୍ଦ୍ଧ୍ୱ କିଡ୍‌କୋ ରାସ୍ତା ଦୁର୍ଘଟଣା ପ୍ରବଣ ଭାବେ ଗଣା ହେଲାଣି। ରାସ୍ତା ମଧ୍ୟରେ ରହିଥିବା ଅରଡେଇ ନଦୀ ପୋଲ ଏବଂ ବୈତରଣୀ ନଦୀ ପୋଲ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୋଲ ଦ୍ୱୟ ବହୁ ପୁରୁଣା ହୋଇଥିବାବେଳେ ପୋଲ ଦ୍ୱୟର ଦୁଇପାର୍ଶ୍ୱ ସିମେଣ୍ଟ ଭାଙ୍ଗି ଯାଇଛି, ପୋଲ ଉପରେ ଗାଢ ହୋଇ ପୋଲ ଛାତର ଲୁହାରଡ ବାହାରି ପଡିଛି। ବାରମ୍ବାର ଦାବି ସତ୍ତ୍ୱେ କିଡ୍‌କୋ କର୍ତ୍ତୃପକ୍ଷ ରାସ୍ତା ମରାମତି ପାଇଁ ଧ୍ୟାାନ ଦେଉ ନ ଥିବାରୁ କିଡ୍‌କୋ ରାସ୍ତା ପାର୍ଶ୍ୱସ୍ଥ ଗ୍ରାମ କଣ୍ଡରାପଶି, ଧନୁର୍ଜୟପୁର, ରେଙ୍ଗାଳବେଡା, ସତୀକୁଦର, ଆହାରପଶି, ଝଡାପଶି, ମଲଦା, ଧାତିକା ଆଦି ଗ୍ରାମର ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ରାସ୍ତା ମରାମତି ଦାବି କରି କଣ୍ଡରାପଶି ଛକଠାରେ ରାସ୍ତା ଅବରୋଧ ମଧ୍ୟ ହୋଇଛି। ହେଲେ ରାସ୍ତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏ ସମ୍ପର୍କରେ କିଡ୍‌କୋ ଅଧିକାରୀ ହିମାଂଶୁ କୁଆଁରଙ୍କୁ ପଚାରିବାରୁ ରାସ୍ତା ମରାମତି ସହିତ ପୋଲ ଦ୍ୱୟର ମରାମତି କାମ କରାଯିବା ପାଇଁ ପୂର୍ତ୍ତ ବିଭାଗକୁ ଚିଠି କରାଯିବା ସହିତ ଜିଲାପାଳଙ୍କୁ ଅବଗତ କରାଯାଇଛି। ତେବେ ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।