ମରଣଯନ୍ତା ପାଲଟିଛି ୪୯ନଂ ଜାତୀୟ ରାଜପଥ: ଦ୍ୱାରସୁଣୀ ଘାଟିରେ ବସ୍‌କୁ ଧକ୍କା ଦେଇ ଖସିପଡ଼ିଲା ଟ୍ରକ୍‌; ୨ ଗୁରୁତର, ୫ ଆହତ

ବାଙ୍ଗିରିପୋଷି,୪।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। କିଛିଦିନ ହେଲା ଏଠାରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା ବେଳେ ବୁଧବାର ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ୱାରସୁଣୀ ଘାଟିରେ ଏକ ଟ୍ରକ୍‌ ଯାତ୍ରୀବାହୀ ବସ୍‌କୁ ପିଟିବା ଯୋଗୁ ଦୁଇଜଣ ଗୁରୁତର ହୋଇଥିବା ବେଳେ ୫ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ବାରିପଦାରୁ ବାଦାମପାହାଡ଼ ଯାଉଥିବା ଆନନ୍ଦ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଘାଟି ଚଢ଼ୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌ ତାକୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ଘାଟିତଳକୁ ଖସିପଡ଼ିଥିଲା। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହେଇଛନ୍ତି। ଗୁରୁତର ଯାତ୍ରୀ ହେଲେ ରତିକାନ୍ତ ମଣ୍ଡଳ। ତାଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସେହିଭଳି ଆହତଙ୍କ ଚିକିତ୍ସା ବାଙ୍ଗିରିପୋଷି ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଛି। ଅପରପକ୍ଷେ ଚାଳକ ଟ୍ରକ୍‌ ତଳେ ଚାପିହୋଇ ରହିଥିବା ଯୋଗୁ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପିଆର୍‌ଏମ୍‌ ହସ୍ପିଟାଲ୍‌କୁ ନିଆଯାଇଥିବା ବୋଲି ଜଣାପଡ଼ିଛି।

Share