Advertisement

ମରଣ ମୁହଁରୁ ବର୍ତ୍ତିଲେ ବାଳକ

ସୁରଟ,୨୩।୮: ରଖିଲେ ହରି ମାରିବ କିଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରଟରେ। ଜଣେ ୭ବର୍ଷର ବାଳକ ଉପରେ କାର୍‌ ମାଡିଯାଇଥିଲା। ହେଲେ ପିଲାଟି ମରଣ ମୁହଁରୁ ବର୍ତ୍ତିବା ସହ ତାଙ୍କ ଶରୀରରେ କୌଣସି ଆଘାତ ଲାଗିନାହିଁ। ଏହି ସମୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋମବାର ସୁରଟର ନାନା ବରଛା ଅଞ୍ଚଳରେ ହରେକୃଷ୍ଣ ସୋସାଇଟିରେ ବର୍ଷା ହେଉଥିବା ବେଳେ ଜଣେ ୭ବର୍ଷର ବାଳକ ଦୀପ ପାନସୁରିଆ ଘର ବାହାରେ ଛତା ଧରି ଖେଳୁଥିଲେ। ସେହି ସମୟରେ ଜଣେ କାର୍‌ ଚାଳକ କାର୍‌କୁ ପଛୁଆ ନେଇ ଆସୁଥିଲେ। ଦୀପ ତଳେ ବସିଥିବାରୁ ଚାଳକଙ୍କୁ ଦେଖା ନ ଯାଇଥିବାରୁ ଗାଡିଟି ତାଙ୍କ ଉପରେ ମାଡିଯାଇଥିଲା। ପିଲାଟି କାର୍‌ ତଳେ ଚାପି ହୋଇ ରହିଥିବା ଦେଖି ଜଣେ ବ୍ୟକ୍ତି କାର୍‌ ଚାଳକଙ୍କୁ ସୂଚନା ଦେଇଥିଲେ। ଏହାପରେ ଚାଳକ ତାଙ୍କୁ କାର୍‌ ତଳୁ ବାହାର କରିଥିଲେ। ସୌଭାଗ୍ୟବଶତଃ ଦୀପଙ୍କ ଦେହରେ କୌଣସି ଆଘାତ ଲାଗି ନ ଥିଲା। ତେବେ ଏହି ଘଟଣା ପରେ ଦୀପଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିଲା। ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବାରୁ ତାଙ୍କୁ ମାନସିକ ଆଘାତ ଲାଗିଥାଇପାରେ। ତେଣୁ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ବୋଲି ଦୀପଙ୍କ ପରିବାର ଲୋକେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share