ଗୋପ, ୨।୮(ଡି.ଏନ୍.ଏ.): ନିର୍ମାଣାଧୀନ ଗୋପ-ବାଲିଘାଇ ରାସ୍ତାର ଗୋପ ବ୍ରିଜ୍ ନିକଟରେ ନିର୍ମାଣାଧୀନ ନୂତନ ସ୍ପାନ୍ ରାସ୍ତାଟି ଗତ ୧୦ ତାରିଖରେ ଦବିଯିବା ନେଇ ଖବର ପ୍ରକାଶିତ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଇଥିଲା। ମାତ୍ର ମରାମତିର ୪-୫ ଦିନ ପରେ ପୁଣି ଏହି ରାସ୍ତା ଦବିଯିବା ପରେ ଏବେ ଏହି ରାସ୍ତାରେ ଯାତାୟାତ କରିବାକୁ ଲୋକେ ନିରାପଦ ମଣୁନାହାନ୍ତି। ଏପରି କି ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ହୋଇଯାଇଛି। ଗୋପ ବ୍ରିଜ୍ ନିକଟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ ନୂତନ ସ୍ପାନ୍ ନିର୍ମାଣ ଶେଷ ପରେ ଠିକାଦାରଙ୍କ ପକ୍ଷରୁ ସ୍ପାନ୍କୁ ଲାଗି ନୂତନ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ରାସ୍ତା ନିର୍ମାଣ ନିମ୍ନମାନର ହେବା ଯୋଗୁ ଗୋଟିଏ ସପ୍ତାହ ପରେ ରାସ୍ତାଟି ଦବି ଯାଇଥିଲା। ରାସ୍ତା ଦବିଯିବା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଦବିଯିବା ରାସ୍ତାର ମରାମତି କରାଯାଇଥିଲା। ଏ ସମ୍ପର୍କରେ ଗୋପ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନବଘନ ବେହେରାଙ୍କୁ ପଚାରିବାରେ ମରାମତି କରାଯିବା ପରେ ରାସ୍ତା ଦବି ଯାଇଥିବାରୁ ପୁନଃ ମରାମତି କରାଯିବ ବୋଲି କହିଥିଲେ।