ମରାମତି ହେଉନି ଓଭରବ୍ରିଜ୍‌: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୨୯।୧୦-ବାଲେଶ୍ୱର ଫକୀରମୋହନ ଗୋଲେଇରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଥିବା ରାଜ୍ୟର ସର୍ବପୁରାତନ ଓ ପ୍ରଥମ ଓଭରବ୍ରିଜ୍‌ର ମରାମତି ପାଇଁ ଦୀର୍ଘଦିନ ହେଲା ସିଭିଲ୍‌ ସୋସାଇଟି ଆନ୍ଦୋଳନ କରିଆସୁଥିଲା। ସରକାର ପ୍ରଥମ ପର୍ଯ୍ୟାୟରେ ୪କୋଟି ୯୩ଲକ୍ଷ ୨୫ହଜାର ଟଙ୍କା ମରାମତି ପାଇଁ ମଞ୍ଜୁର କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ହର୍କୁଲାସ ଇଣ୍ଡିଆକୁ କାର୍ଯ୍ୟାଦେଶ ମିଳିଛି। ମାତ୍ର ତାହା କାର୍ଯ୍ୟକାରୀ ନ ହେବାରୁ ସିଭିଲ୍‌ ସୋସାଇଟି ତରଫରୁ ଗତ ସେପ୍ଟେମ୍ବର ୬ ତାରିଖରେ ସୁପରିଣ୍ଟେଣ୍ଡେଣ୍ଟ୍‌ ଇଞ୍ଜିନିୟରଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେ ପୋଲ ତଳଜାଗାକୁ ଅବରୋଧମୁକ୍ତ କରି ଅବିଳମ୍ବେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ନ ହେବାରୁ ସିଭିଲ୍‌ ସୋସାଇଟି ତରଫରୁ ଏକ ପ୍ରତିନିଧି ଦଳ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସର୍କିଟ୍‌ ହାଉସରେ ଭେଟି ଆଲୋଚନା କରିଥିଲେ। ଆଲୋଚନାରେ ମନ୍ତ୍ରୀ ସମସ୍ତ ବିଷୟ ପ୍ରତି ଗୁରୁତ୍ୱ ଦେଇ ଅବିଳମ୍ବେ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ସାଙ୍ଗକୁ ପୋଲ ତଳକୁ ଅବରୋଧମୁକ୍ତ କରିବାକୁ ଜିଲାପାଳଙ୍କୁ ଫୋନ୍‌ ଯୋଗେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଓଭରବ୍ରିଜ୍‌ର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଦସ୍ୟମାନଙ୍କୁ ଜଣାଇଥିଲେ। ଏହି ଆଲୋଚନାରେ ମନୋଜ ନାୟକ, ବାବୁ ଦାସ, ସନ୍ତୋଷ ସାହୁ, ନିରଞ୍ଜନ ପରିଡ଼ା, ପରମାନନ୍ଦ ପଣ୍ଡା, ରୋଜି ପଟ୍ଟନାୟକ, ଜୟନ୍ତୀ ଦତ୍ତ, ଜ୍ୟୋତ୍ସ୍ନା ସେନାପତି ଓ ସିପ୍ରା ବାଜପେୟୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Share