ମରାମତି ହେଲାନି ଇନ୍ଦ୍ରଦ୍ୟୁମ୍ନ କଡ଼ ରାସ୍ତା: ପୁଣି ଦବିଲା, ଲୋକେ ଭୟଭୀତ

ପୁରୀ ଅଫିସ, ୨୪ା୯: ପୁଣି ଦବିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ କଡ଼ ରାସ୍ତା। ଗତ ୧୫ ତାରିଖରେ ପୂର୍ବ ପାର୍ଶ୍ୱର ରାସ୍ତା ଭୁଶୁଡି ପଡିଥିଲା। ହେଲେ ଏହାର ମରାମତି ନ ହେବାରୁ ସୋମବାର ରାତିରେ ହୋଇଥିବା ପ୍ରବଳ ବର୍ଷାରେ ଏହି ସ୍ଥାନରୁ ମାଟି, ବାଲି ଖାଇ ପୋଖରୀରେ ପଶିଥିଲା। ଫଳରେ ଏହି ସ୍ଥାନରେ ରାସ୍ତା ପୁଣି ଦବିଯାଇଛି। ପାଖାପାଖି ଦେଢ ବର୍ଷରୁ ଊର୍ଦ୍ଧ୍ୱ ହେବ ଇନ୍ଦ୍ରଦ୍ୟୁମ୍ନର ବିଭିନ୍ନ ପାର୍ଶ୍ୱର ପାଚେରୀ ଭୁଶୁଡି ପଡିଥିବାବେଳେ ଏବେ ଏହା କଡ଼ ରାସ୍ତା ଭୁଶୁଡିବା ଆରମ୍ଭ କଲାଣି। ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି। ହେଲେ ଗଲା ପରେ ସବୁ କିଛି ଭୁଲି ଯାଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ଦବି ଯାଇଥିବାରୁ ଇନ୍ଦ୍ରଦ୍ୟୁମ୍ନ କଡ଼ରେ ଘର କରିଥିବା ଲୋକେ ଭୟଭୀତ ହୋଇପଡିଛନ୍ତି। ସେମାନଙ୍କ ଘର ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ବିଭୂତି କୁମାର ରଥ କହିଛନ୍ତି, ରାସ୍ତା ମରାମତି ନ ହେବା ଯୋଗୁ ଏହାର କଡ଼ ଦେଇ ପାଣି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ଯାଉଥିବାରୁ ମାଟି, ବାଲି ଧୋଇ ରାସ୍ତା ଦବି ଗଲାଣି। ଏ ନେଇ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା କହିଛନ୍ତି, ପୂର୍ବରୁ ଯେଉଁ ରାସ୍ତା ଭୁଶୁଡି ଥିଲା ତାହାର ମାଟି ପରୀକ୍ଷା ହେବାକୁ ଯାଇଛି। ରିପୋର୍ଟ ଆସିବା ପରେ କାମ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଆମେ କାମ କରୁଛୁ। ବର୍ତ୍ତମାନ ରାସ୍ତା ଦବିବା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଆମକୁ ଅବଗତ କରାଇ ନାହାନ୍ତି ବୋଲି ପଣ୍ଡା କହିଥିଲେ।

Share