Categories: ରାଜ୍ୟ

ମରାମତି ହେଲାନି ଶ୍ରେଣୀଗୃହ: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଗଣିଆ,୨୭।୬(ଡି.ଏନ.ଏ.): ଫନୀ ବାତ୍ୟାକୁ ଦେଢମାସ ବିତିଲା । ହେଲେ ମରାମତି ହେଲାନି ଭାଙ୍ଗିଯାଇଥିବା ଶ୍ରେଣୀଗୃହ । ଚଳିତ ମାସ ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହୋଇଯାଇଛି । ଫଳରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଛନ୍ତି।
ଏଭଳି ବ୍ୟତିକ୍ରମ ଗଣିଆ ବ୍ଲକ ଛାମୁଣ୍ଡିଆ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାପୀଠରେ ଦେଖିବାକୁ ମିଳିଛି । ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ଷତିଗ୍ରସ୍ତ ଶ୍ରେଣୀଗୃହଗୁଡ଼ିକୁ ମରାମତି ନିମିତ୍ତ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମହଲରେ ବାରମ୍ବାର ଜିଲା ଓ ବ୍ଲକ ପ୍ରଶାସନ ନିକଟରେ ଦାବି ହୋଇଆସୁଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ ା ସ୍କୁଲ ଖୋଲିବା ପରେ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ଅବ୍ୟବସ୍ଥା ମଧ୍ୟରେ ପାଠ ପଢୁଥିବା ଦେଖାଯାଇଛି।
ଯେ,ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଚଳିତ ଶିକ୍ଷା ବର୍ଷରେ ୨୪୧ ଛାତ୍ରୀଛାତ୍ର ପାଠ ପଢୁଛନ୍ତି ା ପ୍ରଥମ ଶ୍ରେଣୀରେ ୨୯, ଦ୍ୱିତୀୟରେ ୨୫, ତୃତୀୟରେ ୩୦, ଚତୁର୍ଥରେ ୨୭, ପଞ୍ଚମରେ ୨୬, ଷଷ୍ଠରେ ୩୬, ସପ୍ତମରେ ୩୮ ଓ ଅଷ୍ଟମ ଶ୍ରେଣୀରେ ୩୦ ଛାତ୍ରୀଛାତ୍ର ଅଛନ୍ତି ା ୧୯୧୭ ମସିହା ପୂର୍ବରୁ ନିର୍ମିତ ଏହି ବିଦ୍ୟାଳୟ ଗଣିଆ ବ୍ଲକର ଏକ ପୁରାତନ ବିଦ୍ୟାଳୟ ଭାବେ ପରିଚିତ। ଏହି ବିଦ୍ୟାଳୟର ଅଧିକାଂଶ ଶ୍ରେଣୀଗୃହ ମାଟିପେଚ, ଇଟା ଓ ଆଜବେଷ୍ଟସ୍‌ ଛପରରେ ନିର୍ମିତ । ଦୀର୍ଘଦିନ ଧରି ମରାମତି ଅଭାବରୁ ଶ୍ରେଣୀଗୃହ କାନ୍ଥଗୁଡିକ ଫାଟି ବିପଦସଙ୍କୁଳ ଭାବେ ରହିଛି। ସେହିପରି ଶ୍ରେଣୀଗୃହ ନିର୍ମାଣ ଆରମ୍ଭରୁ ବ୍ୟବହୃତ କାଠଗୁଡିକ ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । କେତେକ ପୁରାତନ ଶ୍ରେଣୀଗୃହ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ତେବେ ପାଠ ପଢୁଥିବା କୋମଳମତି ଛାତ୍ରୀଛାତ୍ରଙ୍କ ପାଇଁ ଏହା କେତେବେଳେ ଯେ ଅପ୍ରତ୍ୟାଶିତ ଭାବେ ବିପଦକୁ ଡାକିଆଣିବ ତାହାକୁ ଏଡାଇ ଦିଆଯାଇ ନ ପାରେ । ଅନ୍ୟପକ୍ଷେ ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଖୋଲାଯାଇଥିଲେ ମଧ୍ୟ ଗଣିତ ଓ ବିଜ୍ଞାନ ଶିକ୍ଷକ ପଦବୀ ଖାଲିପଡ଼ିଛି । ଫଳରେ ଏହି ଶ୍ରେଣୀର ଛାତ୍ରୀଛାତ୍ରମାନେ ପାଠପଢିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ବାରଣ୍ଡାରେ ଛାତ୍ରୀଛାତ୍ର ପାଠ ପଢିବା ନେଇ ଶିକ୍ଷକ ଓ ଅଭିଭାବକ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଖୁବ୍‌ ଶୀଘ୍ର ଶ୍ରେଣୀଗୃହଗୁଡ଼ିକର ମରାମତି କିମ୍ବା ନୂତନ ଶ୍ରେଣୀଗୃହ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଅଭିଭାବକମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ନ ଛାଡିବା ସହ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉଲ୍ଲାସ ମାଝି କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରୁ ବିଦ୍ୟାଳୟର କ୍ଷୟକ୍ଷତି ସମ୍ପର୍କରେ ବ୍ଲକ ପ୍ରଶାସନ, ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅନୁଦାନ ମିଳିଲେ ମରାମତି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share