ମରାମତି ହେଲା ରଥ ବ୍ରେକ୍‌

ପୁରୀ ଅଫିସ,୨।୭: ଶହ ଶହ ଭକ୍ତ ବଡ଼ଦାଣ୍ଡରେ ରଥ ଟାଣିଥାନ୍ତି। ରଥ କେତେବେଳେ କେଉଁଆଡେ ମାଡ଼ିିଯିବ ତାହାର କିଛି ଠିକ୍‌ ଠିକଣା ନ ଥାଏ। ତେଣୁ ରଥକୁ ଅଟକାଇବା ଲାଗି ବ୍ରେକ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।ମହାପ୍ରଭୁଙ୍କର ତିନିରଥରେ ତିନୋଟି ବ୍ରେକ୍‌ ରହିଥାଏ। ଏହି ବ୍ରେକ୍‌ ମରାମତି ଲାଗି ଇଂ.ଅଶ୍ୱିନ କୁମାର ମିଶ୍ରଙ୍କ ନେତୃତ୍ୱରେ ବ୍ରଜରାଜନଗରରୁ ୭ ଜଣିଆ ଟିମ୍‌ ଆସି ବ୍ରେକ୍‌ ମରାମତି କରୁଛନ୍ତି। ରବିବାର ଏହାର ମରାମତି କାମ ଆରମ୍ଭ କରିଥିଲେ। ସୋମବାର ସୁଦ୍ଧା ତାଳଧ୍ୱଜ ରଥର ବ୍ରେକ୍‌ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର କାମ ପ୍ରାୟ ୮୦ ପ୍ରତିଶତ କାମ ସରିଛି। ମଙ୍ଗଳବାର ନନ୍ଦିଘୋଷ ରଥର ରହିଥିବା କାମ ଏବଂ ଦର୍ପଦଳନ ରଥର ସମ୍ପୂର୍ଣ୍ଣ କାମ ହେବ ବୋଲି ଅଶ୍ୱିନ କହିଛନ୍ତି। ସେ ତାଙ୍କ ଅନୁଭୂତି ସମ୍ପର୍କରେ କୁହନ୍ତି, ୨୦୦୭ରେ ପୁରୀ ରଥଯାତ୍ରା ଦେଖିବାକୁ ଆସିଥିଲେ। ରଥ ଗଡୁଥିବା ବେଳେ ହଠାତ୍‌ ବ୍ରେକ୍‌ ଦିଆଯାଉଥିଲା। କିନ୍ତୁ ରଥ ୧୫/୨୦ ଫୁଟ ଆଗକୁ ଘୋଷାରି ହୋଇ ପଳାଇଯାଉଥିଲା। ଏହାକୁ ଦେଖି ରଥ କିଭଳି ଶୀଘ୍ର ଅଟକିବ ସେ ନେଇ ଚିନ୍ତା କରିଥିଲେ। ବ୍ରେକ୍‌ ପାଇଁ ଟ୍ରକ୍‌ରେ ବ୍ୟବହୃତ ହେଉଥିବା ବ୍ରେକ୍‌ ଲାଇନର ବ୍ୟବହାର କରିବାକୁ ସ୍ଥିର କରି ଶ୍ରୀମନ୍ଦିର ପ୍ରଶାସନକୁ ଆଣି ଦେଖାଇଥିଲି। କିନ୍ତୁ ସେଥିରେ ଚମଡ଼ା ଅଂଶ ଥିବାରୁ ବ୍ୟବହାର ହୋଇପାରିବ ନାହିଁ ଶ୍ରୀମନ୍ଦିର କାଯର୍ର୍‌ୟାଳୟ ମନା କରିଥିଲା। ଏପରି କି ମେଶିନରେ ତିଆରି କଣ୍ଟା ମଧ୍ୟ ବ୍ୟବହାର ହୋଇପାରିବ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ଇଚ୍ଛାରୁ ତାଙ୍କୁ କୌଶଳ ମିଳିଯାଇଥିଲା। ନାଇଲନ, ରବର ଓ କଟନକୁ ମିଶାଇ ଏକ ମସୃଣ ପଦାର୍ଥ (ନାଇଲନ ରବର ବେଲ୍ଟ) ପ୍ରସ୍ତୁତ କରିଥିଲେ। ଏହାକୁ ବ୍ରେକ୍‌ କାଠରେ ଲଗାଇବାକୁ ତାଙ୍କୁ ଅନୁମତି ମିଳିଥିଲା। ସେବେଠାରୁ ସେ ପ୍ରତିବର୍ଷ ଆସି ବ୍ରେକ୍‌ ମରାମତି କରୁଛନ୍ତି। ଚଳିତବର୍ଷ ଅଧଇଞ୍ଚ ମୋଟେଇ, ସାଢେ ୯ ଇଞ୍ଚ ଚଉଡ଼ା ଏବଂ ୩୦ରୁ ୩୨ ଇଞ୍ଚ ଲମ୍ବର ନାଇଲନ ରବର ବେଲ୍ଟ ପ୍ରସ୍ତୁତ କରିଛନ୍ତି। ଗୋଟିଏ ରଥରେ ୮ ପିସ୍‌ ଲେଖାଏ ମୋଟ ୨୪ ପିସ୍‌ ଏହା ଲଗାଯିବ। ଏହା ଲାଗିବା ପରେ ଯେଉଁଠି ବ୍ରେକ୍‌ ଦିଆଯିବ ରଥ ଆଗକୁ ନ ଗଡ଼ି ସଙ୍ଗେ ସଙ୍ଗେ ସେହିଠାରେ ଅଟକିଯିବ ବୋଲି କହିଛନ୍ତି ଅଶ୍ୱିନ। ଗୁଣ୍ଡିଚା ଯାତ୍ରା ପୂର୍ବଦିନ ରଥଖଳାରୁ ସିଂହଦ୍ୱାରକୁ ରଥଟଣା ବେଳେ ଉପସ୍ଥିତ ରହି ବ୍ରେକ୍‌ କାମ ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହାର ତଦାରଖ କରି ଘରକୁ ଫେରିଥାଉ ବୋଲି ସେ କହିଛନ୍ତି। ରଥ ବ୍ରେକ୍‌ ମରାମତି ପାଇଁ ତାଙ୍କ ସହିତ ଧନିରାମ ବାଗ, ତ୍ରିଲୋଚନ ବଢେଇ, ଜଗୁ ଲୋହାର, ମାଗୁ ଲୋହାର, ପ୍ରଶାନ୍ତ ବେନିଆ, ରାମଚରଣ ମୁଞ୍ଚୁରିଆ ଆସିଥିବା ଅଶ୍ୱିନ ପ୍ରକାଶ କରିଛନ୍ତି।

Share