ମରୁଡ଼ି ଘୋଷଣା ଦାବିରେ ଗଣଆନ୍ଦୋଳନ

ବାଲିଆପାଳ,୧୩।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମେତ ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ ଏବଂ ବାଲେଶ୍ୱର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଚାଷୀ ଏକତା ମଞ୍ଚ ଏବଂ ସୂଚନା ଅଧିକାର ସଂଘ ପକ୍ଷରୁ ବାଲିଆପାଳ ତହସିଲ ସମ୍ମୁଖରେ ଗଣଆନ୍ଦୋଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନାଙ୍କ ନେତୃତ୍ୱରେ ଏବଂ ସୂଚନା ଅଧିକାର ସଂଘର ଆବାହକ ଅନୁଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାଲିଆପାଳ ବସ୍‌ଷ୍ଟାଣ୍ଡ ନିକଟରେ ଏକ ଗଣଆନ୍ଦୋଳନ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା କୃଷକ ସଭାର ସଭାପତି ଦିଲୀପ କୁମାର ଗିରି ମୁଖ୍ୟଅତିଥି ଏବଂ ବୈଲୋଚନ ପାତ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ସେମାନେ ବର୍ଷା ଅଭାବରୁ ବାଲିଆପାଳ ସମେତ ବାଲେଶ୍ୱର ଜିଲାର ସମସ୍ତ ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା କରିବା, ଅକାମୀ ହୋଇପଡ଼ିଥିବା ଉଠାଜଳସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରିବା, ଚାଷୀଙ୍କୁ ମାଗଣାରେ ଡିଜେଲ ସେଟ ଯୋଗାଇ ଦେବା, ରାଜଧାନୀ ଢାବାରେ ନାବାଳକଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ, ତାଙ୍କ ଭାଇଙ୍କୁ ଗିରଫ, ୨୦ଲକ୍ଷ ଟଙ୍କାର କ୍ଷତିପୂରଣ, କୋଷ୍ଟକେନାଲର ପୁନରୁଦ୍ଧାର, ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିବା, ଆଗାମୀ ରବି ଫସଲ ପାଇଁ ବିହନ, ସାର, ଓଷଧ ଏବଂ ଡାଳୁଅ ଧାନ ଚାଷ ପାଇଁ ସହାୟତା, ଦୀର୍ଘ ବର୍ଷ ହେଲା ଅକାମୀ ହୋଇପଡିଥିବା ବାଲିଆପାଳ ସୂତାକଳକୁ ପୁନଃ ଚାଲୁ କରିବା, ଭୂମିହୀନମାନଙ୍କୁ ଘରବାଡି ପଟ୍ଟା ପ୍ରଦାନ, ବାଲିଆପାଳ ଅଞ୍ଚଳର ଚାଷ ଜମିକୁ ଅଣକୃଷି କାର୍ଯ୍ୟ ପାଇଁ ହସ୍ତାନ୍ତର ନ କରିବା, ବାଦ୍‌ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା, ସୂଚନା ଅଧିକାର ଆଇନ ୨୦୦୫କୁ ସଂଶୋଧନ କରିବାରୁ କ୍ଷାନ୍ତ ରହିବା ଆଦି ୧୧ଦଫା ଦାବିଗୁଡିକ ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଏକ ପ୍ରତିନଧି ଦଳ ୧୧ ଦଫା ଦାବି ସମ୍ମିଳିତ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା କୁଶଧ୍ୱଜ ଜେନା, କ୍ଷୀତିଶ ଜେନା, ଅନନ୍ତ ଜେନା, ମୃତ୍ୟୁଞ୍ଜୟ ରାଉତ ପ୍ରମୁଖ ଯୋଗଦେଇ ସରକାରଙ୍କ କୃଷକମାରଣ ନୀତିକୁ ବିରୋଧ କରିବା ସହିତ ତୁରନ୍ତ ମରୁଡି ଅଞ୍ଚଳ ଘୋଷଣା କରିବାକୁ ଦାବି କରିଥିଲେ ା