ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ, ୬ ଗୁରୁତର

ଅନୁଗୋଳ ଅଫିସ/ଛେଣ୍ଡିପଦା,୨୪।୧୨,(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର କତଡା ଗୁରୁଣ୍ଡୁଗୋପାଳ ଉଚ୍ଚବିଦ୍ୟାଳୟ ନିକଟରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ଏକ ଘରୋଇ ବସ (ଓଆର-୦୫-ଏଚ-୬୩୯୮) ଝାରସୁଗୁଡା ଥର୍ମାଲ ଅଭିମୁଖେ ଯାଉଥିଲା। ତେବେ ଛତିଶଗଡର ରାୟପୁରରୁ ଦୁଇଟି ପରିବାର ନେଇ (ସିଜି- ୦୪-ଏଚକେ- ୦୧୮୩) ବୋଲେରୋ ପୁରୀ ଅଭିମୁଖେ ଆସୁଥିଲା। କତଡା ଅଞ୍ଚଳରେ ଦୁଇ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ୩ ଜଣ ମହିଳା ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି। ମୃତକମାନେ ଛତିଶଗଡର ବୋଲି ଜଣାପଡିଛି। ତେବେ ଦୁର୍ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ବୋଲେରୋ ଗାଡିରେ ଯାତ୍ରା କରୁଥିବା ୧୦ଜଣଙ୍କ ମଧ୍ୟରୁ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଖବର ପାଇ ଜରପଡା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ପହଞ୍ଚି ଗୁରୁତର ଆହତ ୫ ଜଣଙ୍କୁ ବୋଲେରୋରୁ ଉଦ୍ଧାର କରିବା ସହିତ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଜିଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦାରଖ କରୁଛନ୍ତି।

Share