Categories: ଖେଳ

ମଲନଙ୍କ ଶତକରେ ଅଷ୍ଟ୍ରେଲିଆ ପରାସ୍ତ, ଦକ୍ଷିଣ ଆଫ୍ରିକା ସିରିଜ ବିଜୟୀ

ବ୍ଲୋଏମ୍‌ଫୋଣ୍ଟେନ, ୫।୩- ଜାନେମନ ମଲନଙ୍କ ଅପରାଜିତ ଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ୫୦ ଓଭରରେ ୨୭୧ ରନ କରିଥିବାବେଳେ ଦକ୍ଷିଣ ଆଫ୍ରିକା ୪୮.୩ ଓଭରରେ ୪ ଉଇକେଟ ହରାଇ ୨୭୪ ରନ ସଂଗ୍ରହ କରି ନେଇଛି। ୧୩୯ ବଲ୍‌ରୁ ୭ ଚୌକା ଓ ୪ ଛକା ସହାୟତାରେ ୧୨୯ ରନରେ ଅପରାଜିତ ରହି ଦକ୍ଷିଣ ଆଫ୍ରିକା ବିଜୟରେ ହିରୋ ସାବ୍ୟସ୍ତ ହୋଇଛନ୍ତି ମଲନ। ପଦାର୍ପଣ ମ୍ୟାଚରେ ଡକ୍‌(୦)ରେ ଆଉଟ ହୋଇଥିବା ମଲନ ଦ୍ୱିତୀୟ ମ୍ୟାଚରେ ମ୍ୟାଚ ବିଜୟୀ ଶତକୀୟ ଇନିଂସ ଖେଳି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ୨-୦ରେ ଅଗ୍ରଣୀ ରହିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍‌ଙ୍କ ୬୯ ଓ ଡି’ ଆର୍ସି ଶର୍ଟଙ୍କ ୬୯ ରନ ବଳରେ ୨୭୧ ରନ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି ୫୮ ରନ ବିନିମୟରେ ୬ ଉଇକେଟ ସଫଳତା ପାଇଥିଲେ। ଏନରିଚ୍‌ ନର୍ଜେଙ୍କୁ ୨ଟି ଉଇକେଟ ମିଳିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମଲନଙ୍କ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ସହାୟତାରେ ଆହୁରି ୯ଟି ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ ଯାଇଥିଲା। ହେନରିଚ୍‌ କ୍ଲାସେନ ୫୧, ଜେ. ସ୍ମୁଟ୍ସ ୪୧ ଓ ଡେଭିଡ ମିଲର ୩୭ ରନରେ ଅପରାଜିତ ରହି ମଲନଙ୍କୁ ଉପଯୁକ୍ତ ସହାୟତା କରିଥିଲେ। ଅଷ୍ଟ୍ରେଲିଆର ଆଡାମ ଜାମ୍ପା ସର୍ବାଧିକ ୨ଟି ଉଇକେଟ ପାଇଥିଲେ। ଏନଗିଡି ଓ ମଲନଙ୍କୁ ଯୁଗ୍ମଭାବେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ୫୦ ଓଭରରେ ୨୭୧/ଅଲଆଉଟ(ଫିଞ୍ଚ୍‌-୬୯, ଶର୍ଟ-୬୯, ମିଚେଲ ମାର୍ଶ-୩୬, ଡେଭିଡ ଓ୍ବାର୍ନର-୩୫, ଏନଗିଡି-୬/୫୮, ନର୍ଜେ-୨/୫୯)। ଦକ୍ଷିଣ ଆଫ୍ରିକା ୪୮.୩ ଓଭରରେ ୨୭୪/୪(ମଲନ-୧୨୯*, କ୍ଲାସେନ-୫୧, ସ୍ମୁଟ୍ସ-୪୧, ମିଲର-୩୭*, ଜାମ୍ପା-୨/୪୮)।

Share