Categories: ଜାତୀୟ

ମଲା ମୂଷାକୁ ୧୦ ଘଣ୍ଟା ଧରି ଜଗି ବସିଲା ପୋଲିସ

ନୂଆଦିଲ୍ଲୀ, ୨୭।୫: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ମଲା ମୂଷା ପାଇଁ ପୋଲିସ ୧୦ ଘଣ୍ଟା କାଳ ପ୍ରହରା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୋବିନ୍ଦପୁର ଇଲାକାରେ ଥିବା ଏକ ବନ୍ଦ ଘରୁ ଜୋରରେ ଦୁର୍ଗନ୍ଧ ବାହାରିବାରୁ କୌଣସି ହତ୍ୟାକାଣ୍ଡ ହୋଇଥାଇପାରେ ଭାବି ସ୍ଥାନୀୟ ଲୋକେ ପୋଲିସକୁ ରବିବାର ରାତି ପ୍ରାୟ ୧୨.୩୦ରେ ଫୋନ୍‌ କରିଥିଲେ। ପୋଲିସ ତୁରନ୍ତ ଆସି ପହଞ୍ଚି ଦେଖିବାରୁ ଉକ୍ତ ଘରେ ତାଲା ପଡିଥିଲା। ଘର ମାଲିକ ବି କିଛିଦିନ ହେବ କୁଆଡେ ପଳେଇ ଥିଲେ। ଘର ମାଲିକଙ୍କୁ ଫୋନ କଲେ ତାଙ୍କ ନମ୍ବର ଅଫ୍‌ ଥିଲା। ୪ଜଣ ପୋଲିସ ବନ୍ଦ ଘରକୁ ରାତିସାରା ଜଗିବସିଥିଲେ। ଆଉ କିଛିଜଣ ପୋଲିସ ମାଲିକଙ୍କୁ ଖୋଜାଖୋଜି କରିବା ପାଇଁ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାରେ ଲାଗିପଡିଥିଲେ। ସ୍ଥାନୀୟ ଅଞ୍ଚଳରେ ଘଟଣାଟି ଖେଳିଯିବା ପରେ ଉକ୍ତ ଘର ସାମ୍ନାରେ ଭିଡ ଜମିଥିଲା। ସକାଳ ହେବା କ୍ଷଣି ମାଲିକଙ୍କ କୌଣସି ସନ୍ଧାନ ନ ମିଳିପାରିବାରୁ ପୋଲିସ ଟିମ୍‌ ସମସ୍ତଙ୍କ ସାମ୍ନାରେ ଘରର ତାଲା ଭାଙ୍ଗିଥିଲା। ଘର ଭିତରେ ଏକ ବଡ ମୂଷା ମରିଥିବାର ଦେଖି ପୋଲିସ ଆଶ୍ୱସ୍ତ ହୋଇଥିଲା।

Share