Categories: ଖେଳ

ମଲିକଙ୍କ ପାଇଁ ସାନିଆ ଗର୍ବିତ

କରାଚୀ,୬।୭: ଭେଟେରାନ ପାକିସ୍ତାନ ଅଲ୍‌ରାଉଣ୍ଡର ଶୋଏବ ମଲିକ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇଛନ୍ତି। ଲଡର୍‌ସଠାରେ ପାକିସ୍ତାନ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବା ପରେ ମଲିକ ଏହି ଘୋଷଣା କରିଛନ୍ତି। ତାଙ୍କ ପତ୍ନୀ ତଥା ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଟୁଇଟର ଯୋଗେ ମଲିକଙ୍କ ପାଇଁ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି। ଏକ ଭାବବିହୂଳପୂର୍ଣ୍ଣ ପୋଷ୍ଟରେ ଲେଖିଛନ୍ତି, ପୂର୍ବତନ ପାକିସ୍ତାନ ଅଧିନାୟକଙ୍କ ଲାଗି ଏହା ନୂଆ ଆରମ୍ଭ। ପ୍ରତ୍ୟେକ ଗଳ୍ପର ଶେଷ ଅଛି। କିନ୍ତୁ ଜୀବନରେ ପ୍ରତ୍ୟେକ ଅନ୍ତରେ ନୂଆ ଆରମ୍ଭ ରହିଛି। ତୁମେ ୨୦ ବର୍ଷ ଧରି ଦେଶ ପାଇଁ ଖେଳିଛ। ଏଥିପାଇଁ ମୁଁ ଓ ପୁଅ ଇଝାନ ଗର୍ବିତ। କ୍ରିକେଟ ବିଶ୍ୱକପ୍‌ର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ମଲିକଙ୍କୁ ସାଥୀ ଖେଳାଳି ଗାର୍ଡ ଅଫ୍‌ ଅନର ଦେଉଛନ୍ତି। ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ ୩୭ ବର୍ଷୀୟ କ୍ରିକେଟରଙ୍କ ଅନ୍ତିମ ଦିନିକିଆ ଥିଲା। ସେ ୨୮୭ଟି ମ୍ୟାଚ୍‌ ଖେଳି ୩୪.୫୫ ଆଭରେଜ୍‌ରେ ୭,୫୩୪ ରନ୍‌ କରିଛନ୍ତି। ତାଙ୍କ କ୍ୟାରିୟରରେ ୯ ଶତକ ଓ ୩୩ ଅର୍ଦ୍ଧଶତକ ରହିଛି। ସେ ୧୫୮ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି।

Share