ମଲ୍ଲିକା, ଚାଲ ଯିବା ଚିଲିକା

‘ଯେବେଠାରୁ ଜାନୁ ତୋତେ ଲ..ଲ..ଲଭ୍‌ କଲିଣି, ଗଡ୍‌ ପ୍ରମିଜ ତୋ ପାଇଁକି ପ..ପ..ପାଗଳା ହେଲିଣି, ଜାଗା ଖୋଜୁଛି ମୁଁ ହାଏ ଡେଲି ଡେଲି ତୋତେ ଡେଟିଂ ପାଇଁ ଟିକେ ନେବି ବୋଲି, ପୁଚି ପୁଚି ମୁଚି ଲୁଚି ଲୁଚିକା(କୋଉଠି ନବୁ ଏ ଧନ କୁଆଡେ ନବୁ), ମଲ୍ଲିକା ଏ ମଲ୍ଲିକା ଚାଲ ଯିବା ଚିଲିକା।’ ଏପରି ଏକ ଗୀତ ଏବେ ବେଶ୍‌ ଭାଇରାଲ ହୋଇଛି। କଥା କ’ଣ କି କିଛି ବର୍ଷ ପୂର୍ବେ ‘ଦିସ୍‌ ଇଜ ମାୟାରେ ବାୟା’ ଗୀତ ପାଇଁ ଚର୍ଚ୍ଚିତ ଲଭରବୟ ସବ୍ୟସାଚୀ ପୁଣି ଥରେ ବଡ ପରଦାରେ ଦର୍ଶକଙ୍କୁ ଚିଲିକା କିମିଆ ଦେଖାଇବାକୁ ଯାଉଛନ୍ତି। ଦ୍ୱିଭାଷୀ ଚଳଚ୍ଚିତ୍ର (ଓଡ଼ିଆ, ଛତିଶଗଡି) ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ଏପରି ଗୀତ ସଂଯୋଜିତ ହୋଇଛି। ଡ. ନିର୍ମଳ ନାୟକଙ୍କ ରଚିତ ଏହି ଗୀତଟିକୁ ସ୍ବରାୟିତ କରିଛନ୍ତି ଅଭିଜିତ ମଜୁମଦାର। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ସୋନାଲି ନନ୍ଦ। ସବ୍ୟସାଚୀ-ଏଲିନାଙ୍କୁ ନେଇ ଗୀତଟିକୁ ଦୃଶ୍ୟାୟନ କରାଯାଇଛି। ଏ ସମ୍ପର୍କରେ ସବ୍ୟସାଚୀ କହନ୍ତି, ‘ମଲ୍ଲିକା ଗୀତଟି ଏବେ ବେଶ୍‌ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଗୀତଟିକୁ ମଧ୍ୟ ପ୍ରଶଂସା ମିଳିଛି। ଏଥିରେ ମୋ ଭୂମିକାଟି ହେଲା ମାଇକେଲ। ସେ ଭଲ ଭାବରେ କଥା କହିପାରେନା। ଯାହା କିଛି କରିବାକୁ ଚାହୁଁଛି ଭାଗ୍ୟ ତାହାର ସାଥ୍‌ ଦେଉନି। ତେଣୁ ସବୁବେଳେ ସେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଉଛି। ହେଲେ ତା’ ଭିତରେ ପ୍ରେମ କରିବସିଛି। ଏଥିରେ ସେ ସଫଳ ହେଉଛି ତ? ଏ ସବୁର ଉତ୍ତର ରହିଛି ଉକ୍ତ ସିନେମାରେ। ମୋଟ ଉପରେ ଏହାର କାହାଣୀରେ ନୂତନତ୍ୱ ରହିଛି।’ ଲେଡି ବାର୍ଡ ଏଣ୍ଟରଟେନ୍‌ମେଣ୍ଟ ସହାୟତା ତଥା ଆମ୍‌ରା ମ୍ୟୁଜିକ୍‌ ବ୍ୟାନରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହାର ଗୀତ ସହ ସଂଳାପ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମେଶ ରାଉତ। ସବ୍ୟସାଚୀ-ଏଲିନାଙ୍କ ବ୍ୟତୀତ ଏହି ଫିଲ୍ମରେ ସଲିଲ ମିତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ଲଭ୍‌ଲି, ପଦ୍ମଶ୍ରୀ ଅଞ୍ଜୁ ଶର୍ମା, ବିଜୁ ବଡ଼ଜେନା, ଅମର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଖାସ୍‌ କଥା ହେଲା, ଗାୟିକା ଅସୀମା ପଣ୍ଡା ଏହି ଫିଲ୍ମରୁ ନିଜର ବଡ ପରଦା ଆକ୍ଟିଂ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଫିଲ୍ମଟି ଆସନ୍ତା ମାସ ୮ରେ ରିଲିଜ ହେଉଛି। ତେବେ ଏଥର ସବ୍ୟସାଚୀ-ଏଲିନାଙ୍କ ‘ମଲ୍ଲିକା’ ଗୀତଟି ଦର୍ଶକଙ୍କୁ କେତେ ମତୁଆଲା କରୁଛି ତାହା ଦେଖିବାକୁ ବାକି ରହିଲା।

Share