ଅଲପ୍ପୁଝା, ୬।୧: ଦେଶରେ ବିଭିନ୍ନ ସମ୍ପ୍ରଦାୟକୁ ନେଇ ରାଜନୀତି ଜାରି ରହିଛି। ଏପରିସ୍ଥଳେ କେରଳରେ ସାମ୍ପ୍ରଦାୟିକ ସଦ୍ଭାବର ଏକ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ଅଲପ୍ପୁଝାର ଚେରୁବଲ୍ଲୀଠାରେ ଏକ ମସଜିଦ୍ରେ ହିନ୍ଦୁ ରୀତିନୀତିରେ କନ୍ୟା-ବରଙ୍କ ବିବାହ ଅନୁଷ୍ଠିତ ହେବ। ଏହି ବିବାହରେ କନ୍ୟାଙ୍କୁ ୧୦ ତୋଳା ସୁନା ଏବଂ ୨ ଲକ୍ଷ ଟଙ୍କା ଉପହାର ଦିଆଯିବ ବୋଲି ଚେରୁବଲ୍ଲୀ ମୁସ୍ଲିମ୍ ଜମାତ ସମିତି ପକ୍ଷରୁ କୁହାଯାଇଛି। ଏହି ବିବାହ ଜାନୁୟାରୀ ୧୯ରେ ହେବ। ୨୨ ବର୍ଷ ବୟସ୍କା କନ୍ୟା ଅଞ୍ଜୁଙ୍କ ବିବାହ ଶରତ ଶଶିଙ୍କ ସହିତ ସମ୍ପନ୍ନ ହେବ। ଅଞ୍ଜୁଙ୍କ ପିତା ଅଶୋକନଙ୍କ ମୃତ୍ୟୁ ଘଟିଥିବାରୁ ଏପରି କରାଯାଉଥିବା ମୁସ୍ଲିମ୍ ଜମାତ ସମିତ ସମ୍ପାଦକ ନୁଜୁମୁଦ୍ଦିନ୍ ଅଲୁମୁଟିଲ୍ ସୂଚନା ଦେଇଛନ୍ତି। ସମିତି ପକ୍ଷରୁ ହଜାର ଲୋକଙ୍କର ଭୋଜନ ବ୍ୟବସ୍ଥା କରାଯାଇଛି। ଏବେ ବିବାହ କାର୍ଡ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।