ମସଜିଦ୍‌ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍‌ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍‌ରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମ୍ପୃକ୍ତ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଅଞ୍ଜୁ(୨୨) ନାମକ ଜଣେ ଯୁବତୀଙ୍କ ପିତା ଦୁଇବର୍ଷ ତଳେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହାପରେ ଝିଅର ବିବାହକୁ ନେଇ ମା’ ବିନ୍ଦୁ ଚିନ୍ତାରେ ଥିଲେ। ଆର୍ଥିିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଝିଅର ବିବାହ ପାଇଁ ସ୍ଥାନୀୟ ମସଜିଦ୍‌କୁ ସହାୟତା ମାଗିଥିଲେ। ବିନ୍ଦୁଙ୍କୁ ସହାୟତା ଦେବାକୁ ମୁସଲମାନ ସମ୍ପଦାୟର କିଛି ଲୋକ ଆଗେଇ ଆସିଥିଲେ। ଫଲରେ ୧୯ ଜାନୁୟାରୀରେ ମସଜିଦ୍‌ ପରିସରରେ ଅଞ୍ଜୁଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ।

Share