Advertisement

ମସଲ୍‌ ମମ୍‌ ମମଥା ସନଥକୁମାର: ମୋଟୀରୁ ହେଲେ ବଡି ବିଲ୍ଡିଂରେ ଚାମ୍ପିୟନ

କର୍ନାଟକ, ବାସଭପୁରର ମମଥା ସନଥକୁମାର ଦିନେ ଅନ୍ୟ ସାଧାରଣ ମହିଳାଙ୍କ ଭଳି ଘର କାମ ଓ ପିଲା ସମ୍ଭାଳିବା କାମ କରୁଥିଲେ। ତାଙ୍କ ପରିବାର ଥିଲା ସମ୍ପୂର୍ଣ୍ଣଭାବେ ରକ୍ଷଣଶୀଳ। ସେଭଳି ପରିବାରର ବୋହୂ ହୋଇ ଦିନେ ସେ ବଡି ବିଲ୍ଡିଂରେ କ୍ୟାରିୟର୍‌ କରିବେ ଓ ସେଥିରେ ଚାମ୍ପିୟନ ହେବେ ବୋଲି କେହି ଭାବି ନ ଥିଲେ। ଏମିତିକି ମମଥା ବି ନୁହେଁ। ପୂର୍ବରୁ ସେ ଖୁବ୍‌ ମୋଟୀ ଥିଲେ। ୨୦୧୫ ନଭେମ୍ବର ମାସ ପର୍ଯ୍ୟନ୍ତ ୯୦କି.ଗ୍ରା. ଥିଲା ତାଙ୍କ ଓଜନ। ବର୍ଗର, ପିଜ୍ଜା, ସଫ୍ଟ ଡ୍ରିଙ୍କ ଆଦି ଥିଲା ତାଙ୍କର ବହୁତ ପ୍ରିୟ। ତେବେ ହଠାତ୍‌ ତାଙ୍କ ମନରେ ଓ୍ବାର୍କଆଉଟ୍‌ କରିବାର ଇଚ୍ଛା ଆସିଥିଲା। ଆଉ ମନଯୋଗର ସହ ବ୍ୟାୟାମ କରିଥିଲେ। ଫଳରେ ତାଙ୍କ ଓଜନ କମି ୬୨ କି.ଗ୍ରା. ହୋଇଗଲା। ଏହାପରଠାରୁ ଜିମ୍‌ ଯାଇ ବ୍ୟାୟାମ କରିବା ଯେମିତି ତାଙ୍କର ନିଶା ପାଲଟିଗଲା। ଆଉ ଧୀରେ ଧୀରେ ସେ ଜିମ୍‌ ଇନ୍‌ଷ୍ଟ୍ରକ୍ଟର ବି ହୋଇଗଲେ। ଏହି କ୍ୟାରିୟର୍‌ରେ ସେ ବେଶ୍‌ ଖୁସ୍‌ ଥିଲେ। ତା’ସହ ଝିଅ ଓ ସ୍ବାମୀଙ୍କ କଥା ବି ବୁଝୁଥିଲେ। ତେବେ ଦିନେ ତାଙ୍କ ସ୍ବାମୀଙ୍କ ଚାକିରି ଚାଲିଗଲା। ଫଳରେ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ସେ ଅଣ୍ଟା ଭିଡିଲେ। ଇନ୍‌ଷ୍ଟ୍ରକ୍ଟର କାମ ସହ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ସ୍ଥିର କଲେ। ହେଲେ ପରିବାରର ସହଯୋଗ ନ ଥିଲା। ସ୍ବାମୀଙ୍କ ସହ ପରିବାରର ଅନ୍ୟ ଲୋକ ବି ଶରୀର ପ୍ରଦର୍ଶନ ନ କରିବାକୁ ବାରମ୍ବାର ତାଗିଦ୍‌ କଲେ। ତଥାପି ସେ ଅଟକି ନ ଥିଲେ। ସୋସିଆଲ୍‌ ମିଡିଆରେ ବି ନିଜର ବଳିଷ୍ଠ ଶରୀରର ଫଟୋ ଶେୟାର କରୁଥିଲେ। ଲୋକେ ତାଙ୍କୁ ପ୍ରଶଂସା କରୁଥିଲେ। ଯାହାକି ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଉଥିଲା। ଆଉ ଶେଷରେ ସେ ହେଲେ ବଡି ବିଲ୍ଡିଂରେ ଚାମ୍ପିୟନ । ଆଉ ଝିଅ ପାଇଁ ସାଜିଲେ ମସଲ୍‌ ମମ୍‌। ଏବେ ତାଙ୍କ ପରିବାର ବି ତାଙ୍କ ସହ ଅଛନ୍ତି। ତାଙ୍କ ସ୍ବାମୀଙ୍କୁ ଚାକିରି ମିଳିଯାଇଛି। ମମଥା ଜିମ୍‌ରେ ସମୟ ଦେବା ସହ ପେସାଦାର ବଡିବିଲ୍ଡର ପାଲଟିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share