Categories: ଜାତୀୟ

ମସ୍ତିଷ୍କ ଜ୍ୱର ୮ ବର୍ଷରେ ନେଇଛି ଦେଶର ୧୧ ହଜାର ଶିଶୁଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୧୮।୬: ମସ୍ତିଷ୍କ ଜ୍ୱରରେ ପୃଥିବୀର ୨୪ଟି ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏସବୁ ଦେଶର ୩ ଶହ କୋଟି ଲୋକ ଏହି ଜ୍ୱରରେ ସଂକ୍ରମିତ ହେବାର ଆଶଙ୍କ ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ଏସବୁ ଦେଶର ୧୩ ହଜାର ୬ଶହରୁ ୨୦ ହଜାର ୪ ଶହ ଶିଶୁଙ୍କ ମୃତ୍ୟୁ ଏହି ଜ୍ୱରରେ ହୋଇଥାଏ। ଏହି ଜ୍ୱର ପ୍ରଥମେ ଜାପାନରେ ୧୮୭୧ରେ ଦେଖାଦେଇଥିଲା। ଭାରତରେ ଗତ ୮ ବର୍ଷରେ ଏହି ଜ୍ୱରରେ ୧୧ ହଜାର ୨ ଶହ ୫୪ ଶିଶୁଙ୍କ ଜୀବନ ଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୯୧ ହଜାର ୯ଶହ ୬୮ଜଣ ଆକ୍ରାନ୍ତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ୯୯ ପ୍ରତିଶତ ଶିଶୁଙ୍କ ବୟସ ୧୫ ମଧ୍ୟରେ ରହିଛି। ଦେଶର ୨୦ ରାଜ୍ୟର ୧୭୮ ଜିଲାରେ ଏହି ଜ୍ୱର ଦେଖାଦେଇଥାଏ। କ୍ୟୁଲେକ୍ସ ମଶା ଦ୍ୱାରା ବ୍ୟାପୁଥିବା ଏହି ରୋଗର ପ୍ରଭାବ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଦିଲ୍ଲୀ, ଗୋଆ, ହରିୟାଣା, ଝାଡ଼ଖଣ୍ଡ, କର୍ନାଟକ, କେରଳ,ମହାରାଷ୍ଟ୍ରରେ ଅଧିକ ରହିଛି। ସେହିପରି ମଣିପୁର, ମେଘାଳୟ,ନାଗାଲାଣ୍ଡ୍‌, ପଞ୍ଜାବ, ତ୍ରିପୁରା, ତାମିଲ୍‌ନାଡୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଏହି ଜ୍ୱର ଦେଖାଦେଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share