Categories: ଜାତୀୟ

ମସ୍‌ଜିଦରେ ମହିଳାଙ୍କ ପ୍ରବେଶ କଟକଣାକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଦେଶର ମସ୍‌ଜିଦଗୁଡ଼ିକରେ ମୁସଲମାନ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏଭଳି ‘ଅସାମ୍ବିଧାନିକ’ କଟକଣା ଯୋଗୁ ଜୀବନଧାରଣ, ସମାନତା ଓ ଲିଙ୍ଗଗତ ନ୍ୟାୟ ଭଳି ଅଧିକାର କ୍ଷୁଣ୍ଣ ହେଉଥିବା ଦର୍ଶାଇ ଏହାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏହି ପ୍ରଥା ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ୨୧, ୨୫ ଓ ୨୯ର ଉଲ୍ଲଂଘନ କରୁଥିବା ଏଥିରେ ଦର୍ଶାଯାଇଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରି ନଭେମ୍ବର ୫ ସୁଦ୍ଧା ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରୁଛନ୍ତି। ଗତ ଏପ୍ରିଲରେ ମହିଳା ଓ ଶିଶୁ ମଙ୍ଗଳ, ଆଇନ ଓ ନ୍ୟାୟ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସମେତ ଜାତୀୟ ମହିଳା କମିଶନଙ୍କୁ ନୋଟିସ କରାଯାଇଥିଲା। କିନ୍ତୁ ମହାରାଷ୍ଟ୍ର ଷ୍ଟେଟ୍‌ ବୋର୍ଡ ଅଫ୍‌ ଓ୍ବାକଫ୍‌, ସେଣ୍ଟ୍ରାଲ ଓ୍ବାକଫ୍‌ କାଉନ୍‌ସିଲ ଓ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡକୁୁ ନୋଟିସ କରାଯାଇ ନ ଥିଲା। ଏହି ୩ ପକ୍ଷଙ୍କୁ ନୋଟିସ ସହ ପିଟିଶନର କପି ପଠାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Share