ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପାଠପଢ଼ା: ବାପାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌

ଅଜମଗଢ଼,୨୧।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସ୍କୁଲ ଓ କଲେଜ ବନ୍ଦ ରହିଛି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଜଣେ ଅଭିଭାବକଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ମହଙ୍ଗା ପଡ଼ିଛି। ଚାହୁଁ ଚାହୁଁ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଗାୟବ ହୋଇଯାଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। ସୂଚନାଯୋଗ୍ୟ, ଆଜମଗଡ଼ର ହେଙ୍ଗଇପୁରରେ ରହୁଥିବା ହରିବଂଶ ଲାଲ ଶ୍ରୀବାସ୍ତବ ଏକ ପ୍ରାଇମେରି ସ୍କୁଲରେ ଶିକ୍ଷକତା କରନ୍ତି। ଲକ୍‌ଡାଉନ ସମୟରେ ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ହରିବଂଶ ପୁଅକୁ ମୋବାଇଲ୍‌ ଦେଇଥିଲେ। ହେଲେ ପୁଅ ପାଠ ପଢ଼ିବା ସହ ଅନ୍‌ଲାଇନ୍‌ ଗେମ୍‌ ମଧ୍ୟ ଖେଳିଥିଲା। ଏହି ଖେଳ ଆଳରେ ହ୍ୟାକରମାନଙ୍କ କବଳରେ ପଡ଼ିଯାଇଥିଲେ ତାଙ୍କ ପୁଅ। ହ୍ୟାକରମାନେ ହରିବଂଶଙ୍କ ଡେବିଡ କାର୍ଡ କପିର ଏକ ଫଟୋ ହ୍ବାଟସ୍‌ଅପ୍‌ରେ ପଠାଇବାକୁ କହିଥିଲେ। ଏହାପରେ ଧିରେ ଧିରେ ପୁଅଠାରୁ ଓଟିପି ଓ ଅନ୍ୟାନ୍ୟ ସୂଚନା ହାତେଇଥିଲେ। ଏପ୍ରିଲ ୧୦ରୁ ମେ ୧୨ ମଧ୍ୟରେ ହ୍ୟାକରମାନେ ହରିବଂଶଙ୍କ ମୋବାଇଲ୍‌ ନମ୍ବର ବଦଳାଇ ତାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଯାହାଦ୍ୱାରା ଏହି ଲୁଟ୍‌ ବାବଦରେ ତାଙ୍କୁ ଜଣାପଡ଼ି ନ ଥିଲା। ପରେ ପୁଣି ଥରେ ସେମାନେ ହରିବଂଶଙ୍କ ଅରିଜିନାଲ ନମ୍ବରକୁ ଆକାଉଣ୍ଟ ସହ ସଂଯୋଗ କରିଦେଇଥିଲେ। ମେ ୧୨ରେ ମ୍ୟାସେଜ ଦେଖିବା ପରେ ସେ ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିବା ପାଇଁ ଯାଇଥିଲେ। ସେଠାରେ ସେ ଏହି ଲୁଟ୍‌ ବିଷୟରେ ଜାଣିବାକୁ ପାଇଥିଲେ। ଆଗ୍ରାରୁ ପଞ୍ଜାବ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଛି। କେବଳ ହଜାରେ କି ଲକ୍ଷେ ନୁହେଁ ପୁରା ୮ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଲୁଟ୍‌ ହୋଇଥିବା ଦେଖି ହରିବଂଶଙ୍କ ହୋସ୍‌ ଉଡିଯାଇଥିଲା। ଏନେଇ ସ୍ଥାନୀୟ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଉକ୍ତ ଘଟଣାର ତଦନ୍ତ ଚଳାଇଛି।

Share