Categories: ମେଟ୍ରୋ

ମହଙ୍ଗା ପଡ଼ିଲା ଖାକି ବର୍ଦ୍ଦିରେ ନିଶା କାରବାର: କନଷ୍ଟେବଳ ଜାନକୀବଲ୍ଲଭ ବହିଷ୍କୃତ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ପୋଲିସ ବିଭାଗରେ ଚାକିରି କରି ବ୍ରାଉନସୁଗାର ବେପାର କରିବା ଶେଷରେ ମହଙ୍ଗା ପଡ଼ିଛି। କିଛିଦିନ ତଳେ ଗିରଫ ହୋଇଥିବା କନଷ୍ଟେବଳ ଜାନକୀବଲ୍ଲଭ ଭାରିମଲ୍ଲଙ୍କୁ ଚାକିରିରୁ ବିଦା କରାଯାଇଛି। ଏକାଧିକ ଅପରାଧରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ବହିଷ୍କାର କରିଛନ୍ତି। ସୂଚନାଯୋଗ୍ୟ, ଜାନକୀବଲ୍ଲଭ ରିଜର୍ଭ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ସେ ଗତ ୧୩ ତାରିଖ ଦିନ ବ୍ରାଉନସୁଗାର ବ୍ୟବସାୟ କରୁଥିବା କ୍ୟୁଏଟି ଓ ନୟାପଲ୍ଲୀ ଥାନା ପୋଲିସ ହାତରେ ଧରାପଡି ଗିରଫ ହୋଇଥିଲେ। ଖୋଳତାଡ଼ ପରେ ତାଙ୍କ ଆପରାଧିକ ପେଡ଼ି ଖୋଲିଥିଲା। ତାଙ୍କ ନାମରେ ଏକାଧିକ ଫୌଜଦାରି ମାମଲା ରହିଥିବାବେଳେ ବ୍ରାଉନସୁଗାର କାରବାର କରୁଥିଲେ। ବିଶେଷକରି ଖୋର୍ଦ୍ଧାରେ କାର୍ଯ୍ୟ କରିବା ସମୟରେ ନିଶା ମାଫିଆ ଛୋଟା ଲିଙ୍କ୍‌ରେ ଆସିଥିଲେ। ତାଙ୍କଠାରୁ ବ୍ରାଉନସୁଗାର ନେଇ ବ୍ୟବସାୟ କରିବା ସହ ଦାମୀ ଗାଡ଼ି ଚଢୁଥିଲେ। ଏପରି କି ଚୋରା ପଥର ଚାଲାଣରେ ସେ ଛୋଟାକୁ ପୋଲିସ ସମ୍ପର୍କରେ ଭିତିରି ସୂଚନା ଦେଉଥିଲେ। ୨୦୦୫ରେ କ୍ୟାପିଟାଲ ଥାନାଞ୍ଚଳରେ ଏକ ହତ୍ୟା ପାଇଁ ଅପହରଣ ମାମଲାରେ ସେ ଅଭିଯୁକ୍ତ ଥିଲେ। ହେଲେ ପ୍ରମାଣ ଅଭାବରୁ ଖଲାସ ହୋଇଥିଲେ। ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ସେ ଖୋର୍ଦ୍ଧାରେ ଥିଲେ। ୨୦୧୧ରେ ଖଣ୍ଡଗିରି ଥାନାର ଏକ ମାମଲାରେ ଅଭିଯୁକ୍ତ ଥିଲେ। ସେହିପରି ୨୦୧୮ରେ ଖୋର୍ଦ୍ଧାରେ ଜଣେ ଓକିଲଙ୍କ ଗାଡି ଚୋରି କରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Share