ମହଙ୍ଗା ଭତ୍ତାକୁ ନେଇ ସଚିବାଳୟରେ ଅସନ୍ତୋଷ: ନିଷ୍ପତ୍ତିକୁ ପୁନର୍ବିଚାର କରା ନ ଗଲେ ଆନ୍ଦୋଳନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): କେନ୍ଦ୍ର ସରକାର ଗତବର୍ଷ ଜୁଲାଇ ମାସରୁ୫% ମହଙ୍ଗା ଭତ୍ତା ପ୍ରଦାନ ନେଇ ଘୋଷଣା ହୋଇସାରିଛି। ତେଣୁ ଗତ ଜୁଲାଇମାସରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି ମହଙ୍ଗା ଭତ୍ତା ପାଇ ଆସୁଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ଗତ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ୫% ମହଙ୍ଗା ଭତ୍ତା ଦେଇନାହାନ୍ତି। ହେଲେ ତରବରିଆ ଭାବେ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅର୍ଥ ବିଭାଗ ଏକ ବିଜ୍ଞପ୍ତିରେ ଏହି ଭତ୍ତା ଦେବାକୁ ଘୋଷଣା କଲେ। ହେଲେ ଏହାକୁ ଜୁଲାଇ ୨୦୧୯ରୁ ନ ଦେଇ ଚଳିତ ବର୍ଷ ଜାନୁୟାରୀ ମାସରୁ ଦେବାକୁ କୁହାଯାଇଛି। ଏପରିକି ଗତ ବର୍ଷର ଛଅମାସର ବକେୟା ଭତ୍ତା ସଂକ୍ରାନ୍ତରେ ଉକ୍ତ ବିଜ୍ଞପ୍ତିରେ କିଛି କୁହାଯାଇନାହିଁ। ଫଳରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଅପରାହ୍ନରେ ସଚିବାଳୟର ବିଭିନ୍ନ ବର୍ଗର ତିନି ହଜାରରୁ ଅଧିକ କର୍ମଚାରୀ ଏକ ସମାବେଶ କରି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ୧୯୭୫ରୁ ପ୍ରଚଳିତ ପ୍ରଥାରେ ସରକାର ଏଭଳି ନିଷ୍ପତ୍ତି ନେଇ କର୍ମଚାରୀଙ୍କୁ ଆଘାତ ଦେଇଛନ୍ତି। ମହଙ୍ଗା ଭତ୍ତାର ୬୦% କେନ୍ଦ୍ର ସରକାର ବହନ କରୁଥିବା ବେଳେ ରାଜ୍ୟ ସରକାର କାହିଁକି ଏଭଳି ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ବୋଲି କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି। ସରକାର ଉପରୋକ୍ତ ନିଷ୍ପତ୍ତିକୁ ପୁନର୍ବିଚାର ନ କଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି।

Share