Categories: ଜାତୀୟ

ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ଯାଏ ସ୍ଥଗିତ

ନୂଆଦିଲ୍ଲୀ,୨୪।୪(ପି.ଟି.): କୋଭିଡ୍‌-୧୯ ଜନିତ ସଙ୍କଟକୁ ନେଇ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନଧାରୀମାନଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଗୁରୁବାର ନିଷ୍ପତ୍ତି ନେଇଛି। ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇବା ପାଇଁ କେନ୍ଦ୍ର କ୍ୟାବିନେଟ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବାରୁ ଦେଶର ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୧ ଲକ୍ଷ ପେନ୍‌ସନଧାରୀ ପ୍ରଭାବିତ ହେବେ। ୨୦୨୦ ଜାନୁୟାରୀ ୧ରୁ ଲାଗୁ ହେବାକୁ ଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ସମେତ ମହଙ୍ଗା ସହାୟତା (ଡିଆର୍‌) ପ୍ରଦାନ ନ କରିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବର୍ଦ୍ଧିତ ଡିଏ ଏବଂ ଡିଆର୍‌ ବାବଦକୁ ୩୭,୫୩୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ରାଜ୍ୟଗୁଡ଼ିକ ମଧ୍ୟ ଅନୁରୂପ ନିଷ୍ପତ୍ତି ନେବେ। ଫଳରେ ୮୨,୫୬୬ କୋଟି ଟଙ୍କା ସଞ୍ଚୟ ହେବ। ଏହିପରି ଉଭୟ କେନ୍ଦ୍ର ଓ ରାଜ୍ୟ ରାଜକୋଷରେ ମୋଟ ୧.୨୦ ଲକ୍ଷ କୋଟି ଟଙ୍କା ବଳକା ରହିପାରିବ, ଯାହା କୋଭିଡ୍‌-୧୯ ମୁକାବିଲାରେ ବିନିଯୋଗ ହେବ ବୋଲି ଏକ ସୂତ୍ରରୁ ଜଣାପଡିଛି।

Share