Categories: ଜାତୀୟ

ମହଙ୍ଗା ଯୋଗୁ ଲୋକେ ଗାଡ଼ି କିଣୁନାହାନ୍ତି: ମାରୁତି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧-୯:ଓଲା,ଉବର କ୍ୟାବ୍‌ ଯୋଗୁ ଦେଶରେ କାର୍‌ ବିକ୍ରି ପ୍ରଭାବିତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହନ୍ତି ମାରୁତି ସୁଜୁକି ଅଧ୍ୟକ୍ଷ ଆର୍‌.ସି. ଭାର୍ଗବ। ଏଥିଲାଗି ସରକାରଙ୍କ ନୀତିକୁ ସେ ଦାୟୀ କରିଛନ୍ତି। ତାଙ୍କର କହିବାନୁଯାୟୀ, ପେଟ୍ରୋଲ-ଡିଜେଲ ଉପରେ ଉଚ୍ଚହାରରେ ଟିକସ ଆଦାୟ, ସଡ଼କ ଟିକସ ବୃଦ୍ଧି କରାଯାଉଥିବାରୁ ଲୋକେ ଏବେ କାର୍‌ କିଣିବାରୁ ଦୂରେଇ ଯାଉଛନ୍ତି। ଏହାଛଡ଼ା ଏୟାର ବ୍ୟାଗ୍‌ ଓ ଏବିଏସ୍‌ ଭଳି ନୂଆ ସୁରକ୍ଷା ଫିଚର ଯୋଡାଯିବା କାରଣରୁ ଏବେ କାର୍‌ ଦାମ ବହୁଗୁଣ ବଢ଼ିଯାଇଛି। ଏହି କାରଣରୁ ଏଣ୍ଟ୍ରି ଲେଭେଲ କାର୍‌ ଦାମ୍‌ ମହଙ୍ଗା ହୋଇଗଲାଣି। ଫଳରେ ଏହା ଦୁଇଚକିଆ ଯାନ ଚଳାଉଥିବା ବ୍ୟକ୍ତିବିଶେଷଙ୍କ ହାତପାହାନ୍ତାରୁ ବାହାରିଗଲାଣି। ଅଟୋ ଉଦ୍ୟୋଗ ଏବେ ଜିଏସ୍‌ଟି ହ୍ରାସ ପାଇଁ ଜୋରଦାର ଦାବି କରୁଥିବା ବେଳେ ଭାର୍ଗବଙ୍କ ମତରେ ଏହାଦ୍ୱାରା ସେଭଳି ବିଶେଷ ଫରକ ପଡ଼ିବ ନାହିଁ। ସୂଚନାଥାଉ କି, ଘରୋଇ ପାସେଞ୍ଜର କାର୍‌ ବିକ୍ରି ବାର୍ଷିକ ଆଧାରରେ ଅଗଷ୍ଟରେ ୩୧.୬% ହ୍ରାସ ପାଇଛି ବୋଲି ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍‌ଚରର୍ସ(ସିଆମ୍‌) ପକ୍ଷରୁ ପ୍ରକାଶିତ ତଥ୍ୟରୁ ସ୍ପଷ୍ଟ ହୋଇଛି। ୧୯୯୭-୯୮ ପରେ ସର୍ବନିମ୍ନ ହ୍ରାସ ବୋଲି କୁହାଯାଉଛି।

Share