ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି। ତେବେ ଚତୁର୍ଥ ମଠ ଭାବେ ମଙ୍ଗୁ ମଠର ପାଳି ପଡିଛି। ପୂର୍ବରୁ ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡା ମଠ ଉଚ୍ଛେଦ କରାଯାଇଥିବା ବେଳେ ଗତ ମଙ୍ଗଳବାର ପ୍ରଶାସନ ପକ୍ଷରୁ ମଙ୍ଗୁ ମଠ ମାପଚୁପ କରାଯାଇଛି। ତେବେ ମଠ ଭଙ୍ଗାଯିବାକୁ ନେଇ ଦୋ ଛକିରେ ପଡିଛନ୍ତି ମହନ୍ତ। ଗୋଟିଏ ପଟେ ପ୍ରଶାସନର ଚାପ ଏବଂ ଅନ୍ୟପଟେ ମଠରୁ ଫାଇଦା ପାଉଥିବା ଲୋକଙ୍କ ଚାପକୁ ନେଇ ସେ ଚିନ୍ତିତ ହୋଇପଡିଛନ୍ତି। ଏମିତି କି ମହନ୍ତଙ୍କୁ ଗତ ସୋମବାର ରାତିରେ ଧମକ ଚମକ ଦିଆଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏ ନେଇ ମହନ୍ତ ମୁହଁ ଖୋଲୁ ନ ଥିବାବେଳେ ଗୁରୁବାର ରାତିରୁ ମଠକୁ ପୋଲିସ ଜଗିଛି। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ କହିଛନ୍ତି, ମହନ୍ତଙ୍କୁ କେହି ଧମକ ଚମକ ଦେଇଥିବା ମୌଖିକ ଭାବେ ପୋଲିସ ପାଖରେ ଅଭିଯୋଗ ପହଞ୍ଚତ୍ଥିଲା। ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ। ଉଚ୍ଛେଦକୁ ନେଇ ବର୍ତ୍ତମାନ ଭିନ୍ନ ପ୍ରକାର ସ୍ଥିତି ରହିଥିବାରୁ ପୋଲିସ ପକ୍ଷରୁ ସତର୍କତା ପଦକ୍ଷେପ ସ୍ବରୂପ ମଙ୍ଗୁ ମଠକୁ ଜଗାଯାଉଛି। ତେବେ ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠ ୭୫ ମିଟର ମଧ୍ୟରେ ରହିଛି। ଏହାକୁ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ମାପଚୁପ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ମଠକୁ କୌଣସି ନୋଟିସ୍‌ ହୋଇ ନ ଥିବା ମହନ୍ତ ସୂଚନା ଦେଇଛନ୍ତି।
ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ଅଭିଯାନ କିଛିଦିନ ହେବ ସ୍ଥଗିତ ରହିଛି। କ୍ଷତିଗ୍ରସ୍ତଙ୍କୁ ଥଇଥାନ ଲାଗି ପ୍ରଶାସନ ଏବେ ଜମି ଖୋଜିବାରେ ବ୍ୟସ୍ତ। ଇତିମଧ୍ୟରେ ପୁରୀ ସହର ଏବଂ ଉପକଣ୍ଠ ବିଭିନ୍ନ ସ୍ଥାନରେ ଏକାଧିକ ଜମି ଦେଖାଯାଇଛି। କେଉଁଠି ସରକାରୀ, ଶ୍ରୀମନ୍ଦିର ଜମି ରହିଛି ତାହାକୁ ଖୋଜା ଯାଉଛି। ଏପରି କି ବ୍ୟକ୍ତିଗତ ଜମି ମଧ୍ୟ ପ୍ରଶାସନ ଦେଖୁଛି। କ୍ଷତିଗ୍ରସ୍ତଙ୍କ ଲାଗି ଯେଉଁ ଜମି ସୁବିଧା ହେବ ସେଠାରେ ପ୍ରଶାସନ ଆପାର୍ଟମଣ୍ଟ କରିବ। ଏଥିସହ ଯେଉଁମାନେ ଚାହିଁବେ ସୋମନଙ୍କୁ ଜମି ଯୋଗାଇ ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି। ତେବେ ଜମି ଖୋଜିବାରେ ବ୍ୟସ୍ତ ଯୋଗୁ ଉଚ୍ଛେଦ କାର୍ଯ୍ୟ ସାମୟିକ ଭାବେ ବନ୍ଦ ରହିଥିବା ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି। ପର୍ଯ୍ୟାୟକ୍ରମେ ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

Share