ମହମ୍ମଦ ବାଜିଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ଦେଶ ଜଣେ ସଚ୍ଚା ଗାନ୍ଧୀବାଦୀଙ୍କୁ ହରାଇଲା’

ଭୁବନେଶ୍ୱର,୨୭।୬(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ବାଜି ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ଯୋଦ୍ଧା ଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ସହ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଥିଲେ। ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସରଳ ଜୀବନଯାପନ କରିବା ସହ ନବରଙ୍ଗପୁର ଜିଲା ବିଜାପୁରଠାରେ ଗାନ୍ଧୀ ଆଶ୍ରମ ପ୍ରତିଷ୍ଠା କରି ଜନସେବାରେ ସାରାଜୀବନ ନିଜକୁ ଉତ୍ସର୍ଗ କରିଥିଲେ। ଜନଜାତି ବର୍ଗର ଉନ୍ନତି ପାଇଁ ସେ କରିଥିବା ଉଦ୍ୟମ ତାଙ୍କୁ ଲୋକପ୍ରିୟ କରି ରଖିବ। ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଦେଶ ଜଣେ ମହାନ ଜନସେବକ, ଦେଶଭକ୍ତ ଓ ସଚ୍ଚା ଗାନ୍ଧୀବାଦୀଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ନିଜ ବାସଭବନରେ ବାଜିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ଶୁକ୍ରବାର ବାଜିଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।

Share