ମହର୍ଷି କଲେଜ ନିକଟରେ ନିଶାସକ୍ତଙ୍କ ଆତଙ୍କ ଘଟଣା: ୩ ଦିନ ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଧୀନ ମହର୍ଷି କଲେଜ ନିକଟରେ ଗତ ବୁଧବାର ସନ୍ଧ୍ୟାରେ ୧୫ରୁ ଊର୍ଦ୍ଧ୍ୱ ନିଶାସକ୍ତ ଯୁବକ ଆତଙ୍କ ଖେଳାଇଥିଲେ। ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏଥିସହ ବିରୋଧ କରୁଥିବା ବ୍ୟକ୍ତିଙ୍କ ବାଇକ ଓ କାର୍‌କୁ ମାଡ ମାରି ଭଙ୍ଗାରୁଜା କରିଥିଲେ। ସେହିପରି ଚର୍ଚ୍ଚରୁ ଫେରୁଥିବା କେତେଜଣ ଯୁବକଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିଲେ। ଶୁକ୍ରବାର ଏହି ଘଟଣାକୁ ୩ଦିନ ବିତିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଏ ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ପଦ୍ମଚରଣ ଭଟ୍ଟ କହିଛନ୍ତି, ଅଭିଯୋଗକାରୀମାନେ ଯେଉଁ ବାଇକ ନମ୍ବର ଦେଇଥିଲେ ତାହାର କୌଣସି ପତ୍ତା ମିଳୁ ନାହିଁ। ମହର୍ଷି କଲେଜ ନିକଟରେ ସିସିଟିଭି ନ ଥିବାରୁ ମାରପିଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇନାହିଁ। ଫଳରେ ପୋଲିସ ଅଭିଯୁକ୍ତମାନଙ୍କ ପତ୍ତା ପାଇପାରି ନାହିଁ। ତେବେ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବକମାନଙ୍କୁ କିଏ ଓ କାହିଁକି ମାଡ଼ ମାରିଲା ତାହା ଜଣା ନ ପଡ଼ିିବାରୁ ସେମାନେ ଭୟଭୀତ ଅବସ୍ଥାରେ ରହିଥିବା ଗଣମାଧ୍ୟମକୁ କହିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ସେମାନଙ୍କ ଦୌରାତ୍ମ୍ୟ ବଢିବା ସହ ଅନେକ ସାଧାରଣ ଜନତା ପୁଣି ଆକ୍ରମଣର ଶୀକାର ହେବାର ଆଶଙ୍କା ରହିଛି। ପୋଲିସ କୌଣସିି ଚାପରେ ରହି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ଉପଯୁକ୍ତ ତଦନ୍ତ କରି ନ୍ୟାୟ ଦିଆଯାଉ ବୋଲି ଅଭିଯୋଗକାରୀ ପୁଲକ ଓ ଦୀପୁ ଗଣମାଧ୍ୟମରେ କହିଛନ୍ତି। ଏ ନେଇ ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି କହିଛନ୍ତି, ଅଭିଯୁକ୍ତମାନଙ୍କୁ କୌଣସି ପ୍ରକାର କ୍ଷମା ଦିଆଯିବ ନାହିଁ। ଏହି ଘଟଣାରେ ପୋଲିସ ଏକ କେସ୍‌ (ନଂ. ୬୯୫/୧୯) ରୁଜୁ କରିବା ସହ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି।

Share