ମହାକାଶରେ ଇତିହାସ ରଚିଲା ୟୁଏଇ

ଦୁବାଇ,୨୬ା୯(ଏଏଫ୍‌ପି): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବୁଧବାର ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌)କୁ ଦେଶର ପ୍ରଥମ ମହାକାଶ ଯାତ୍ରୀ ହଜ୍ଜା ଅଲ୍‌-ମନ୍‌ସୁରିଙ୍କୁ ପଠାଇ ଇତିହାସ ରଚିଛି। କାଜାଖସ୍ତାନର ବୈକୋନୁରରୁ ସୋୟୁଜ୍‌-ଏଫ୍‌ଜି ରକେଟରେ ୩୫ ବର୍ଷୀୟ ମନ୍‌ସୁରିଙ୍କ ସହ ରୁଷିଆର ଓଲେଗ୍‌ ସ୍କ୍ରିପୋଚକା ଏବଂ ନାସା ମହାକାଶଚାରୀ ଜେସିକା ମିର୍‌ ଆଇଏସ୍‌ଏସ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବାବେଳେ ୟୁଏଇର ମହମ୍ମଦ ବିନ୍‌ ରଶିଦ୍‌ ସ୍ପେସ୍‌ ସେଣ୍ଟରରେ ବହୁସଂଖ୍ୟକ ଲୋକ ଉପସ୍ଥିତ ରହି ଜାତୀୟ ପତାକା ଧରି ଉତ୍ସବ ପାଳନ କରିଛନ୍ତି। ବାୟୁସେନାର ପୂର୍ବତନ ପାଇଲଟ ମନ୍‌ସୁରିଙ୍କୁ ୟୁଏଇ ଜଣେ ଜାତୀୟ ହିରୋ ଭାବେ ଅଭିହିତ କରିଛି। ମନ୍‌ସୁରି ଆଇଏସ୍‌ଏସ୍‌ରେ ୮ ଦିନ ବିତାଇ ବିଭିନ୍ନ ପ୍ରକାର ପ୍ରୟୋଗ କରିବେ। ଯାତ୍ରା ପୂର୍ବରୁ ସେ ଏହାକୁ ତାଙ୍କ ସ୍ବପ୍ନର ମିଶନ ବୋଲି କହିଛନ୍ତି। ଏହି ଅବସରରେ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହ ମନ୍‌ସୁରିଙ୍କ ସଫଳ ଯାତ୍ରା କାମନା କରିଛନ୍ତି।

Share