ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ ଅଗ୍ନି ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। ଏହା ସାଧାରଣ ଅଗ୍ନି ନିର୍ବାପକ ଯନ୍ତ୍ରର ବିପରୀତ ଶୈଳୀରେ କାର୍ଯ୍ୟ କରିବ। ସାଧାରଣ ଯନ୍ତ୍ର ନିଆଁ ଉପରେ ରାସାୟନିକ ପଦାର୍ଥ ସ୍ପ୍ରେ କରୁଥିବାବେଳେ ଏହି ନୂତନ ଯନ୍ତ୍ର ଅଗ୍ନିକୁ ଅବଶୋଷ କରିବାକୁ ସକ୍ଷମ ହେବ ବୋଲି ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ସ୍ପ୍ରେ ଯନ୍ତ୍ର ଦ୍ୱାରା ଅଧିକ ପରିମାଣର କାର୍ବନ ଡାଇଅକ୍ସାଇଡ୍‌ ସୃଷ୍ଟି ହୋଇଥାଏ। ତେଣୁ ଏହାର ବ୍ୟବହାର ସମୟରେ ଅକ୍ସିଜେନ ମାକ୍ସ୍‌ ଲଗାଇବାକୁ ପଡ଼ିଥାଏ। ତେବେ ଏହି ନୂତନ ଯନ୍ତ୍ରର ବ୍ୟବହାର ସମୟରେ କାର୍ବନ ଡାଇଅକ୍ସାଇଡ୍‌ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ। ଏହାକୁ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର ଭାବେ ନାମିତ କରାଯାଇଛି। ଏହା ଆଗାମୀ ମହାକାଶ ମିଶନରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଜାପାନର ତିୟୋଶାହି ବିଶ୍ୱବିଦ୍ୟାଳୟର ଗବେଷକ ଏହି ଯନ୍ତ୍ରର ଡିଜାଇନିଂ କରିଛନ୍ତି। ଏହା ଉପରେ ଅଧିକ ପରୀକ୍ଷଣ ଜାରି ରହିଛି। ଏହା ସଫଳ ହେଲେ ଏହାକୁ ମହାକାଶ କେନ୍ଦ୍ରରେ ବ୍ୟବହାର କରାଯିବ।

Share