ନୂଆଦିଲ୍ଲୀ,୧୧।୭: ଭାରତ ପକ୍ଷରୁ ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ର ଉତ୍କ୍ଷେପଣ ପାଇଁ ଯୋଜନା ଜାରି ରହିଛି। ଜୁଲାଇ ୧୪-୧୫ରେ ଏହାର ଉତ୍କ୍ଷେପଣ କରାଯିବ। ତେବେ ଏହାପରେ ଭାରତ ସୂର୍ଯ୍ୟ, ଶୁକ୍ର ଏବଂ ମଙ୍ଗଳ ମିଶନ ଆରମ୍ଭ କରିବ। ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଭାରତ ଏହି ମିଶନରେ ସଫଳ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ୨୦୨୦ରେ ଭାରତ ଚନ୍ଦ୍ରାୟନ-୩ ଉତ୍କ୍ଷେପଣ କରିବାକୁ ଯୋଜନା ରଖିଛି। ସେହିପରି ୨୦୨୦ ଶେଷ ସୁଦ୍ଧା ଭାରତର ସୂର୍ଯ୍ୟ ମିଶନ ଅନ୍ତର୍ଗତ ଆଦିତ୍ୟ-ଏଲ୍-୧ ଉତ୍କ୍ଷେପଣ କରିବ। ୪ ଶହ କିଲୋଗ୍ରାମ୍ ବିଶିଷ୍ଟ ଆଦିତ୍ୟ ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ହେଲୋ ଅର୍ବିଟ୍ର ଲଙ୍ଗାଜ୍-୧ ବିନ୍ଦୁ ନିକଟରେ ଅବସ୍ଥାନ କରିବ। ଭାରତ ୨୦୧୨-୧୩ରୁ ସୂର୍ଯ୍ୟ ମିଶନ ଉପରେ କାର୍ଯ୍ୟ ଜାରି ରଖିଛି। ୨୦୨୨ରେ ଭାରତ ଗଗନୟାନ ମିଶନ ଆରମ୍ଭ କରିବ। ଏହାପୂର୍ବରୁ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁଲାଇରେ ଭାରତ ମାନବ ବିହୀନ ଗଗନୟାନ ଉତ୍କ୍ଷେପଣ କରିବ। ସେହିପରି ୨୦୨୧ରେ ଇସ୍ରୋ ଏବଂ ନାସା ମିଳିତ ଭାବେ ନିସାର ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ଉତ୍କ୍ଷେପଣ କରିବାର ଯୋଜନା ରହିଛି। ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୩ରେ ଭାରତ ଶୁକ୍ର ମିଶନ ଅନ୍ତର୍ଗତ ଶୁକ୍ରାୟନ ଉତ୍କ୍ଷେପଣ କରିବ। ସେହିପରି ୨୦୨୨-୨୩ରେ ଭାରତ ପକ୍ଷରୁ ମଙ୍ଗଳାୟନ-୨ର ଉତ୍କ୍ଷେପଣ କରିବ। ଏହା ମଙ୍ଗଳ ଭୂପୃଷ୍ଠରେ ଅବତରଣ କରିବ। ୨୦୨୫ରେ ଭାରତ ଅବତାର ମିଶନ ଉପରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିବ। ଏହି ପ୍ରକଳ୍ପରେ ଡିଆର୍ଡିଓ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଏହି ମିଶନ ଅନ୍ତର୍ଗତ କଲାମୟାନ୍ରେ ଯାତ୍ରୀଙ୍କୁ ମହାକାଶ ଭ୍ରମଣ କରାଯିବାର ଯୋଜନା ରହିଛି। ସେହିପରି ୨୦୨୫ ଶେଷସୁଦ୍ଧା ମହାକାଶରେ ଦୁଇ ମହାକାଶ ଯାନକୁ ଯୋଡ଼ାଯିବା କାର୍ଯ୍ୟ ସମ୍ପନ୍ନ କରିବାକୁ ଭାରତ ଅଣ୍ଟା ଭିଡ଼ିଛି। ଏହି ମିଶନକୁ ସ୍ପେଡେକ୍ସ୍ ଭାବେ ନାମିତ କରାଯାଇଛି।