Categories: ଫୁରସତ

ମହାକାଶ ବୈଜ୍ଞାନିକଙ୍କ ଅନ୍ଧବିଶ୍ୱାସ: ରାହୁ କାଳ ଓ ୧୩ ଅଶୁଭ

ଚେନ୍ନାଇ, ୨୧।୭: ଇଣ୍ଡିଆନ ସ୍ପେସ୍‌ ଏଜେନ୍ସି ମହାକାଶକୁ ରକେଟ୍‌ ଓ ସାଟେଲାଇଟ ପଠାଉଛି , କିନ୍ତୁ ଏହା ପଛରେ କିଛି ଅନ୍ଧବିିଶ୍ୱାସ ଯୋଡ଼ିି ହୋଇ ରହିଛି ବୋଲି ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି। ରାହୁ କାଳରେ କେବେ ବି ଇସ୍ରୋ ତା’ର ରକେଟ ଫ୍ଲାଇଟ୍‌ ପାଇଁ ଯୋଜନା ବା କାମ ଆରମ୍ଭ କରେନାହଁି। ଇଣ୍ଟର ପ୍ଲାନେଟାରି ମିଶନ୍‌ରେ ରକେଟ୍‌ ଉତ୍‌କ୍ଷେପଣର ମାହେନ୍ଦ୍ର ବେଳା ଉପରେ ଗୁରୁତ୍ୱ ଦିଆଯାଏନି, ବରଂଯେଉଁ ସମୟରେ ଯାନ କକ୍ଷରେ ଅବସ୍ଥାପିତ ହେବ ସେହି ସମୟ ଭଲ କି ନାହଁି ତାହା ଦେଖାଯାଏ। ପ୍ରତି ରକେଟ ମିଶନରେ ଇସ୍ରୋର ଅଧିକାରୀମାନେ ତିରୁମାଲ୍ଲାର ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରାର୍ଥନା କରିବା ସହ ପ୍ରଭୁଙ୍କ ପାଦତଳେ ରକେଟର ଏକ ପ୍ରତିକୃତି ରଖିଥାନ୍ତି। ଏଇ କିଛି ବର୍ଷ ହେବ ଶ୍ରୀହରିକୋଟା ନିକଟରେ ବିଭିନ୍ନ ମନ୍ଦିରକୁ ବହୁ ଅଧିକାରୀ ଓ ତାଙ୍କ ଜୁନିଅରମାନେ ମିଶନର ସଫଳତା ଲାଗି ପ୍ରାର୍ଥନା କରିବାକୁ ଯାଉଛନ୍ତି। ରକେଟର ବିଭିନ୍ନ ଷ୍ଟେଜ୍‌ ଇଣ୍ଟିଗ୍ରେସନ ଆରମ୍ଭ କରିବା ପୂର୍ବରୁ ବି ପୂଜା କରାଯାଏ। ଏମିତିକି ରକେଟ ଉତ୍‌କ୍ଷେପଣ ଦିନ ଜଣେ ପ୍ରୋଜେକ୍ଟ ଡାଇରେକ୍ଟର ସବୁବେଳେ ନୂଆ ଶାର୍ଟ ପିନ୍ଧନ୍ତି ବୋଲି କହନ୍ତି ଜଣେ ରକେଟ ସାଇଣ୍ଟିଷ୍ଟ୍‌।
ଇଣ୍ଡିଆନ ସ୍ପେସ୍‌ ଏଜେନ୍ସି ସଂଖ୍ୟା ୧୩କୁ ଅଶୁଭ ମାନେ। ପୋଲାର ସାଟେଲାଇଟ ଲଞ୍ଚଆ ଭେହିକଲ (ପି ଏସ୍‌ଏଲଭି)-ସି୧୨ ପରେ (ପିଏସ୍‌ଏଲଭି)-ସି୧୪ ଲଞ୍ଚ କରାଗଲା,କିନ୍ତୁ ପିଏସ୍‌ଏଲଭି -ସି୧୩ ଏହି କ୍ରମରେ ଆସିନାହଁି। ଏହାର କାରଣ ସଂଖ୍ୟା ୧୩ ହୋଇପାରେ ବୋଲି କୁହାଯାଇପାରେ। ଇସ୍ରୋର ଅଧିକାରୀମାନେ ବି ଏସଂକ୍ରାନ୍ତରେ କିଛି କହିନହାନ୍ତି। ଆପୋଲୋ-୧୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଫଳ ହେବା ପରେ ଆମେରିକାନ ସ୍ପେସ୍‌ ଏଜେନ୍ସି କେବେ ବି କୌଣସି ମିଶନକୁ ଏହି ସଂଖ୍ୟାରେ ରଖିନାହଁି। କିନ୍ତୁ ସବୁ ପରମ୍ପରାକୁ ଭାଙ୍ଗି ୪୫୦ କୋଟିର ମାର୍ସ ଆର୍ବିଟର ମିଶନ ମଙ୍ଗଳବାର ଉତ୍‌କ୍ଷେପଣ କରାଯାଇଥିଲା । ମଙ୍ଗଳବାର ଶୁଭ ନୁହେଁ ବୋଲି ଇସ୍ରୋର ଜଣେ ଅଧିକାରୀ କହୁଥିବାବେଳେ ମାର୍ସ ଆର୍ବିଟର ମିଶନ ସହ ଜଡିତ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହନ୍ତି ମଙ୍ଗଳବାର ପୂରା ଶୁଭ। କିନ୍ତୁ ଇସ୍ରୋର ମୁଖ୍ୟଙ୍କ ମତରେ ଏହି ସବୁ ବିଶ୍ୱାସ ପୂରା ବ୍ୟକ୍ତିଗତ।

Share