ମହାକାଶ ଯାନ ଖରାପ ହେଲେ ଜୀବନ ବଞ୍ଚାଇବ କ୍ରୁ ଡ୍ରାଗନ

ଓ୍ବାଶିଂଟନ, ୨୦।୧: ଏଣିକି ମହାକାଶ ମିଶନରେ କିଛି ଯାନ୍ତ୍ରିକ ଅସୁବିଧା ଉପୁଜିଲେ ଭୟ କରିବାର ନାହିଁ। ମହାକାଶ ଯାନ ଖରାପ ହେଲେ କିଭଳି ମହାକାଶଚାରୀଙ୍କ ଜୀବନ ବଞ୍ଚାଯାଇ ପାରିବ ତାହା ସଫଳତାର ସହିତ ନାସା ପକ୍ଷରୁ ପରୀକ୍ଷା କରାଯାଇଛି। ମହାକାଶ ଯାନ ଅଧାବାଟରେ ଖରାପ ହେଲେ ସହାୟତା ପ୍ରଦାନକାରୀ କ୍ରୁ ଡ୍ରାଗନ ଏପରି କରିବାକୁ ସକ୍ଷମ ହେବ। କ୍ରୁ ଡ୍ରାଗନ କ୍ୟାପସୁଲରେ  ସୁରକ୍ଷିତ ଭାବେ ମହାକାଶଚାରୀମାନେ ଭୂପୃଷ୍ଠରେ ଅବତରଣ କରିପାରିବେ। ଆମେରିକାର ଫ୍ଲୋରିଡ଼ାସ୍ଥିତ ଜନ୍‌ ଏଫ୍‌. କେନେଡ଼ି ମହାକାଶ କେନ୍ଦ୍ରର ରକେଟ୍‌ ଫାଲକନ୍‌-୯ ଦ୍ୱାରା ଏହାର ପରୀକ୍ଷଣ କରାଯାଇଛି। ରବିବାର ଆମେରିକା ସମୟ ପୂର୍ବାହ୍ନ ୧୦ଟା ୩୦ରେ ଉତ୍‌କ୍ଷେପଣ ପରେ ୧୦ ମାଇଲ୍‌ ଉଚ୍ଚାରେ ରକେଟର ଇଞ୍ଜିନକୁ ବନ୍ଦ କରି ଦିଆଯାଇଥିଲା। ଉଡ଼ାଣର ୮୪ ସେକେଣ୍ଡ ପରେ ରକେଟରୁ କ୍ରୁ ଡ୍ରାଗନ କ୍ୟାପସୁଲ୍‌କୁ ଅଲଗା କରାଯାଇଥିଲା। ଏହାପରେ କ୍ରୁ ଡ୍ରାଗନ ନିଜକୁ ସୁରକ୍ଷିତ ଦୂରତାକୁ ନେଇଯାଇ ୪ଟି ପାରାଚୁଟ୍‌ ଖୋଲିଥିଲା। ଏହାର ସହାୟତାରେ ୯ ମିନିଟ୍‌ ୨ ସେକେଣ୍ଡ ମଧ୍ୟରେ କ୍ରୁ ଡ୍ରାଗନ ଆଟଲାଣ୍ଟିକ୍‌ ମହାସାଗରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

Share