ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନକୁ ନେଇ ବିଧାନସଭାରେ ଉଦ୍‌ବେଗ: ଭାଜପା-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାର କି ପ୍ରସ୍ତୁତି କରିଛନ୍ତି। ରାଜ୍ୟ ସରକାର ଏ ନେଇ ଏକ କମିଟି ଗଠନ କରିଥିଲେ। ସେହି କମିଟି ସରକାରଙ୍କୁ କେତେକ ପ୍ରସ୍ତାବ ଦେଇଥିଲା, ହେଲେ ତାହାକୁ ପାଳନ କରାଗଲା ନାହିଁ। ସରକାର କମିଟି ରିପୋର୍ଟକୁ ଭୁଲିଗଲେ ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅଭିଯୋଗ କରିଥିଲେ। ସୋମବାର ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ମିଶ୍ର କହିଥିଲେ, ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ପୂଜା କରିବା ନେଇ ଆରଏସ୍‌ଏସ୍‌ ଓ ଭାଜପାକୁ କଡ଼ା ସମାଲୋଚନା କରିଥିଲେ। ମହାତ୍ମାଗାନ୍ଧୀଙ୍କ ନୀତିରେ ଭାଜପାର ବିଶ୍ୱାସ ନାହିଁ ବୋଲି ମିଶ୍ର କହିଥିଲେ। ମିଶ୍ରଙ୍କ ଏଭଳି ଆକ୍ଷେପକୁ ନେଇ କଂଗ୍ରେସ ଓ ଭାଜପା ସଦସ୍ୟଙ୍କ ମଧ୍ୟରେ ଏକ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲେ।
ବିଜେଡି ସଭ୍ୟ ଦେବୀପ୍ରସାଦ ମିଶ୍ର, ଭୂପିନ୍ଦର ସିଂ, ଅତନୁ ସବ୍ୟସାଚୀ ନାୟକ ଏବଂ ଭାଜପା ସଭ୍ୟ ମୋହନ ଚରଣ ମାଝି ପ୍ରମୁଖ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି, ଗୃହକୁ ଅବଗତ କରିବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ରାଜ୍ୟ ସରକାର ଏ ଦିଗରେ କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଜଣାଇବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ଏଥିପାଇଁ ସରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Share