ମହାତ୍ମା ଗାନ୍ଧୀଙ୍କୁ ନିଜ ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା

ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯିବାକୁ ଯୋଜନା କରାଯାଇଛି। ୧୮୬୯ ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରଠାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସମଗ୍ର ବିଶ୍ୱରେ ତାଙ୍କୁ ଅହିଂସାର ପୂଜାରୀ ଭାବେ ଆଖ୍ୟା ଦିଆଯାଇଥିବା ବେଳେ ଭାରତର ସ୍ବାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି। ସ୍ବାଧୀନତା ପାଇଁ ଗାନ୍ଧିଜୀ ବିଭିନ୍ନ ରାଜ୍ୟର ବହୁ ସ୍ଥାନକୁ ପରିଭ୍ରମଣ କରି ଲୋକଙ୍କୁ ଏକଜୁଟ କରିଥିଲେ। ତେବେ ଏଭଳି ଏକ ରାଜ୍ୟ ରହିଛି ଯାହା ମହାତ୍ମା ଗାନ୍ଧୀଙ୍କୁ ‘ମହାତ୍ମା’ ବନାଇବାରେ ସହାୟକ ହୋଇଛି। ଏଥିପାଇଁ କେବଳ ବିହାରର ଚମ୍ପାରଣର ହାତ ନାହିଁ ବରଂ ଭାଗଲପୁରର ମଧ୍ୟ ଅଂଶୀଦାର ରହିଛି। ନିଜର ସାଦାସିଧା ଜୀବନ ଓ ଉଚ୍ଚ ବିଚାର ପାଇଁ ତାଙ୍କୁ ଭାରତୀୟମାନେ ବାପୁ ବୋଲି ସମ୍ବୋଧନ କରିଥାନ୍ତି। ତାଙ୍କ ଜୀବନ ଯେତିକି ସରଳ ସେତିକି ରୋମାଞ୍ଚକର ମଧ୍ୟ। ତାଙ୍କ ଜୀବନ ବହୁ ସମସ୍ୟା ଓ କଷ୍ଟରେ ଅତିବାହିତ ହୋଇଛି। ହେଲେ ସେ କେବେ ହାରି ନାହାନ୍ତି। ସବୁବେଳେ ଲୋକଙ୍କ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଦେଇଛନ୍ତି। ତାଙ୍କ ଜୀବନରେ ଏମିତିବି ଏକ ସମୟ ଆସିଥିଲା ଯେବେ ଗାନ୍ଧିଜୀଙ୍କୁ ନିଜର ଅଟୋଗ୍ରାଫ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ସ୍ବାଧୀନତା ସଂଗ୍ରାମ ପାଇଁ ଲୋକଙ୍କୁ ଏକତ୍ରିତ କରିବା ଲାଗି ଗାନ୍ଧୀ ବିହାରର ଭାଗଲପୁରକୁ ଆସିଥିଲେ। କଂଗ୍ରେସ ଶାସନ ସମୟରେ ୧୯୩୪ରେ ଭାଗଲପୁରରେ ହୋଇଥିବା ଭୂକମ୍ପରେ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ ଗାନ୍ଧିଜୀ। କେବଳ ସାହାଯ୍ୟ ନୁହେଁ ବରଂ ସେମାନଙ୍କ ପାଇଁ ସହାୟତା ରାଶି ମଧ୍ୟ ଏକତ୍ରିତ କରିଥିଲେ। ଆଉ ଏହି ରାଶି ପାଇଁ ସେ ନିଜର ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିଥିଲେ। ତେବେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ସବୁବେଳେ ପୂଜନୀୟ ହୋଇ ରହିଛନ୍ତି। ଆଜି ବି ଲୋକେ ତାଙ୍କ କାର୍ଯ୍ୟକୁ ସ୍ମରଣ କରିବା ସହ ଆଚରଣକୁ ନିଜ ଜୀବନରେ ଆପଣାଇବାକୁ ଚେଷ୍ଟା କରୁଛନ୍ତି।

Share