ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ: ଗୋପାଳପୁରରୁ ଦସ୍ତଖତ ଅଭିଯାନ ଶୁଭାରମ୍ଭ

ଗୋପାଳପୁର,୧୯ା୯- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ଜନ ସଚେତନତା ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଗୋପାଳପୁର ବେଳାଭୂମିରେ ଗୁରୁବାର ଶୁଭାରମ୍ଭ ହୋଇଛି। ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଓଡ଼ିଶା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅନୁସୂଚିତ ଜନଜାତି ଓ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ। ଅତିଥି ଭାବେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ, ଗଞ୍ଜାମ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାସ ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଜିଲା ପରିଷଦ ଅଧ୍ୟକ୍ଷ ସୋନମ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ବାଚସ୍ପତି ପାତ୍ର ତାଙ୍କ ଅଭିଭାଷଣରେ ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସା ଓ ସତ୍ୟର ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାକୁ ସମ୍ବିଧାନରେ ଲିପିବଦ୍ଧ କରିବାପାଇଁ ଜନ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଉଦ୍ୟମ ଦ୍ୱାରା ସମ୍ବିଧାନରେ ଏହା ସ୍ଥାନିତ ହୋଇପାରିବ ବୋଲି କହିଥିଲେ। ଏହି ଅଭିଯାନ ଗୋପାଳପୁରରୁ ଆରମ୍ଭ ହୋଇ ସାରା ରାଜ୍ୟରେ ଚାଲିବ। ଏହି ଅବସରରେ ଗାନ୍ଧୀ ଜ୍ୟୋତି ଜନସଚେତନତା ରଥକୁ ବାଚସ୍ପତି ଶୁଭାରମ୍ଭ କରିଥିଲେ।