ମହାନଦୀରେ ନିର୍ମାଣ ହେବ ଆଉ ୭ ବ୍ୟାରେଜ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମହାନଦୀର ନିମ୍ନସ୍ରୋତରେ ପ୍ରସ୍ତାବିତ ୭ ବ୍ୟାରେଜ୍‌ ମଧ୍ୟରୁ ୫ ବ୍ୟାରେଜ ପାଇଁ ପ୍ରାରମ୍ଭିକ ଅନୁସନ୍ଧାନ କାର୍ଯ୍ୟ ସମାପ୍ତ କରାଯାଇ ତାହାର ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେହିପରି ଅନ୍ୟ ୨ ବ୍ୟାରେଜ ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଥିବା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ୨୦୧୮ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ୭ ବ୍ୟାରେଜ ଏବଂ ମହାନଦୀର ଉପ ଓ ଶାଖା ନଦୀଗୁଡ଼ିକରେ ୨୩ ସେଚ ପ୍ରକଳ୍ପ ନିର୍ମାଣ ନେଇ କୁହାଯାଇଥିଲା। ଏହିସବୁ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା କେତେ ମାତ୍ରାରେ ଅଗ୍ରଗତି ହୋଇଛି, ସେ ନେଇ ଆସିଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ରଘୁନନ୍ଦନ ଏହା କହିଛନ୍ତି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନ ନଂ ୭୬୩ର ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି।
ବିଜେପୁର ଲିଫ୍ଟ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। କୁସୁମିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ସାନ୍ଦୁଲ, ଅହିରାଜୋର,ରାନଜୋର,ଜୀରା ଲୋୟର ଲାନ୍ଥ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ପାଇଁ କାର୍ଯ୍ୟ ଚାଲିଛି। କୁଟୁଳିସିଘାଂ ପୁନର୍ବସତି ଓ ପୁନଃ ଥଇଥାନ, ପରିବେଶ ମଞ୍ଜୁରୀ ଓ ଜଙ୍ଗଲ ମଞ୍ଜୁରୀ ପାଇଁ କାର୍ଯ୍ୟ ଚାଲୁଛି। ଅଙ୍ଗ ସେଚ ପ୍ରକଳ୍ପ ପାଇଁ ସମସ୍ତ ବୈଧାନିକ ମଞ୍ଜୁର ପ୍ରାପ୍ତ ହୋଇଛି। ହେଲେ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକ ଏହାକୁ ବିରୋଧ କରୁଥିବା ଜଣାପଡିଛି। ଇବ୍‌ ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗଙ୍କ ବୈଷୟିକ ଅନୁମୋଦନ ମିଳିଛି। ଗ୍ରାମବାସୀଙ୍କ ବିରୋଧ ଯୋଗୁ ଗ୍ରାମ ସଭା ହୋଇନାହିଁ। ତେଣୁ ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରୁନାହିଁ। ଅପରଲାନ୍ଥ ପ୍ରକଳ୍ପର ପରିବେଶ ମଞ୍ଜୁରୀ ଓ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ପ୍ରାପ୍ତ ହୋଇଛି। ଅପର-ଉଦନ୍ତୀ ଡିପିଆର କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ଅନୁମୋଦନ ପାଇଁ ଯାଇଥିବା ଜଣାପଡିଛି। ସେହିଭଳି ଖଡାଗୋ ଏବଂ ଲୋୟର ଉଦନ୍ତୀ ଫିଜିବିଲିଟି ରିପୋର୍ଟ ଅନୁମୋଦନ ଅପେକ୍ଷାରେ ରହିଛି। ମହାନଦୀ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବାରୁ ତେଲ-ଇଣ୍ଟିଗ୍ରେଟେଡ୍‌ ଏବଂ ତେଲିଜୋର ପ୍ରକଳ୍ପ ଡିପିଆର ଅନୁମୋଦନ ହୋଇନାହିଁ। ବ୍ରାହ୍ମଣୀପଦ, ଉତ୍ତେଇ ଏବଂ ଲକ୍ଷ୍ମୀପଥର ସର୍ଭେ ଓ ଅନୁସନ୍ଧାନ ଚାଲୁଅଛି। ଲମ୍ବୋଦରା ଓ ସୁରୁବାଲିଜୋରରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି।

Share