ମହାନଦୀରେ ପ୍ରଶିକ୍ଷଣ ନେବେ ଏନଡିଆର୍‌ଏଫ୍‌ କର୍ମଚାରୀ :ଏମଓୟୁ ସ୍ବାକ୍ଷରିତ

କଟକ ଅଫିସ,୭ା୧- ନ୍ୟାଶନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ(ଏନ୍‌ଡିଆର୍‌ଏଫ)ର କର୍ମଚାରୀ ଆସି କଟକରେ ପ୍ରଶିକ୍ଷଣ ନେବେ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ରାଜ୍ୟର ଏନଡିଆର୍‌ଏଫ୍‌ କର୍ମଚାରୀମାନେ ମହାନଦୀରେ ପ୍ରଶିକ୍ଷଣ ହାସଲ କରିବେ। ମହାନଦୀର ବିପଦପୂର୍ଣ୍ଣ ସ୍ଥାନ ସମେତ ଧବଳେଶ୍ୱର ସେତୁ ନିକଟରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କଟକର କଳିଙ୍ଗ ଡାଇଭର୍ସ ଫାଉଣ୍ଡେସନ ଟ୍ରଷ୍ଟ ଓ ଦିଲ୍ଲୀର ଏନଡିଆର୍‌ଏଫ୍‌ ମଧ୍ୟରେ ସୋମବାର ଏଭଳି ଏକ ଏମଓୟୁ ସ୍ବାକ୍ଷର ହୋଇଛି। ଏନଡିଆର୍‌ଏଫ୍‌ ଡିଆଇଜି ମୋହସେନ ସେହେଦି କଟକ ଆସିବା ସହ କଳିଙ୍ଗ ଡାଇଭର୍ସ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କୁ ଭେଟିଥିଲେ। ଏହି ଅବସରରେ ଚୁକ୍ତିନାମା ସ୍ବାକ୍ଷର କରାଯାଇଥିବା ଜଣାପଡ଼ିଛି। ଏନ୍‌ଡିଆର୍‌ଏଫ୍‌ କମାଣ୍ଡାଣ୍ଟ ଜ୍ୟାକବ କିସପୋଟା ଉପସ୍ଥିତ ଥିଲେ। ଏ ନେଇ ସବୀର କହିଛନ୍ତି, ଗ୍ରୁପ ଗଠନ କରାଯାଇ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଗ୍ରୁପରେ ୩୦ଜଣ ଏନଡିଆର୍‌ଏଫ କର୍ମଚାରୀ ରହିବେ। ପ୍ରତ୍ୟେକ ଗ୍ରୁପର ପ୍ରଶିକ୍ଷଣ ଅବଧି ୬ସପ୍ତାହ ରହିଛି। ମହାନଦୀରେ ପ୍ରଶିକ୍ଷଣ ଶେଷ ପରେ ସେମାନଙ୍କୁ ପାରାଦୀପ ନିକଟ ସମୂଦ୍ରରେ ପ୍ରଶିକ୍ଷଣ ଦିଆଯିବ ବୋଲି ସବୀର କହିଥିଲେ। ଅର୍ନ୍ତଜାତୀୟ ସ୍ତରର ୱିଣ୍ଡ ସର୍ଫିଂ ଖେଳାଳି ଦିଲେଶ ରାଓ ପ୍ରଶିକ୍ଷଣରେ ସହଯୋଗ କରିବେ ବୋଲି ସେ କହିଛନ୍ତି।
ଏହି ଅବସରରେ ସୋମବାର କଟକ ତୁଳସୀପୁରସ୍ଥିତ ଡିୟରପାର୍କ ଜେଟିଠାରେ ଏନଡିଆର୍‌ଏଫ୍‌ ଡିଆଇଜି ପହଞ୍ଚି ପ୍ରଶିକ୍ଷଣ ସ୍ଥଳ ପରିଦର୍ଶନ କରିଛନ୍ତି।