Categories: ରାଜ୍ୟ

ମହାନଦୀରେ ବୁଡି ଯାଉଥିଲେ ଝିଅ,ଉଦ୍ଧାର କରିବାକୁ ଯାଇ ବାପା ମୃତ

ଖଣ୍ଡପଡା,୧୬ା୬(ସ୍ବ.ପ୍ର.)-ମହାନଦୀରେ ଗାଧୋଉଥିବାବେଳେ ଝିଅ ବୁଡି ଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ ବାପା। ହେଲେ ଝିଅ କୂଳକୁ ଫେରି ଆସିଥିବାବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ବାପା। ଏଭଳି ଦୁଃଖଦ ଘଟଣା ଘଟିଛି ଶନିବାର ନୟାଗଡ ଜିଲା କଣ୍ଟିଲୋସ୍ଥିତ ନୀଳମାଧବ ଜୀଉଙ୍କ ମନ୍ଦିର ନିକଟସ୍ଥ ମହାନଦୀରେ।

ମିଳିଥିବା ସୂଚନା ଅନୁଯାୟୀ,ନୟାଗଡ ଜିଲା ଇଟାମାଟି ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ଚିନରା ଗ୍ରାମର ସୁରେଶ ରାଉତ(୪୦) ତାଙ୍କ ପରିବାରର ୮ ସଦସ୍ୟଙ୍କ ସହ ରଜ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀନୀଳମାଧବ ଜୀଉଙ୍କ ଦର୍ଶନରେ ଆସିଥିଲେ । ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପୂର୍ବରୁ ମହାନଦୀରେ ଗାଧୋଇବା ପାଇଁ ତାରିଣୀ ଛକ ନିକଟସ୍ଥ ଗଙ୍ଗା ମନ୍ଦିର ତୁଠରେ ଥିବା ଏକ ମୋଟର ବୋଟରେ ନଦୀର ଅପର ପାର୍ଶ୍ୱ ବାଲି ପଠାକୁ ଯାଇଥିଲେ । ସେଠାରେ ସ୍ନାନ ସମୟରେ ସୁରେଶଙ୍କ ୧୪ ବର୍ଷର ଝିଅ ବର୍ଷା ଓ ଶାଳକ ସଞ୍ଜୟ ବରାଡ ନଦୀ ସ୍ରୋତରେ ଭାସି ଯାଉଥିବା ଦେଖି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସୁରେଶ ନଦୀ ମଝିକୁ ଚାଲିଯାଇଥିଲେ । ଇତି ମଧ୍ୟରେ ସୁରେଶଙ୍କ ସ୍ତ୍ରୀ ଉପସ୍ଥିତବୁଦ୍ଧି ଖଟାଇ ସେମାନଙ୍କ ପାଖକୁ ଏକ ଲୁଗା ଫୋପାଡି ଦେବାରୁ ସଞ୍ଜୟ ଓ ବର୍ଷା ଲୁଗା ସାହାଯ୍ୟରେ କୂଳକୁ ଚାଲିଆସିଥିଲେ । ମାତ୍ର ସୁରେଶ ପ୍ରଖର ସ୍ରୋତ ଯୋଗୁ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ଖଣ୍ଡପଡା ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ କର୍ମଚାରୀମାନେ ପହଞ୍ଚତ୍ବା ପୂର୍ବରୁ ବଡ଼ବାଣପୁରର ପୂର୍ବତନ ସରପଞ୍ଚ ଜୟକୃଷ୍ଣ ବେହେରା, ସ୍ଥାନୀୟ ଅଞ୍ଚଳର ବିଶ୍ୱନାଥ ମହାରଣା, ସୁଦାମ ମହାରଣା, ଛବି ଦଳେଇ, କୃଷ୍ଣଚନ୍ଦ୍ର ମହାରଣା ଓ ନିଧିଆ ମହାରଣା ପ୍ରମୁଖ ଡଙ୍ଗା ନେଇ ବହୁ ଖୋଜାଖୋଜି କରିବା ପରେ ପ୍ରାୟ ଏକଘଣ୍ଟା ପରେ ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ସେଠାରୁ ଖଣ୍ଡପଡା ଓ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କଣ୍ଟିଲୋ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସୂଚନା ଯୋଗ୍ୟ ସୁରେଶ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ।

Share