ମହାନଦୀରେ ଲୀନ ହେବାକୁ ବସିଛି ସିଦ୍ଧେଶ୍ୱର ପୀଠ

ନରାଜ,୧୩।୯(ଡି.ଏନ.ଏ) : ବାରଙ୍ଗ ଥାନା ଅନ୍ତର୍ଗତ ତଳଗଡ ଓ ନରାଜର ମଧ୍ୟସ୍ଥ ଭାଗର ପର୍ବତରେ ସିଦ୍ଧେଶ୍ୱର ମନ୍ଦିର ଅବସ୍ଥିତ। ହେଲେ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗର ଅଣଦେଖାରୁ ଏବେ ଏହି ପୁରାତନ ମନ୍ଦିରଟି ମହାନଦୀରେ ଲୀନ ହେବାକୁ ବସିଛି। ପ୍ରତିବର୍ଷ ବର୍ଷାଦିନେ ମହାନଦୀରେ ପାଣି ବଢିଲେ ପାହାଡର ପାଦ ଦେଶରେ ଥିବା କୂଳଖାଇ ଯାଇଥାଏ। ବର୍ତ୍ତମାନ ବର୍ଷା ଓ ମହାନଦୀର ପାଣିରେ କୂଳ ଖାଇବା ଫଳରେ ମନ୍ଦିରର ସାମ୍‌ନା ପାହାଚ ନଦୀଗର୍ଭକୁ ଚାଲିଯାଇ ମୁଖଶାଳା ଫାଟି ମହାନଦୀରେ ମିଶିବାକୁ ବସିଲାଣି। ସୂଚନାଯୋଗ୍ୟ, ପାଣ୍ଡବମାନେ ବନବାସ ସମୟରେ ଏହି ପର୍ବତରେ ବହୁଦିନ ବସବାସ କରିବା ଓ ବୌଦ୍ଧ ଧର୍ମାବଲମ୍ବୀମାନେ ଏଠାରେ ଥିବା ଗୁମ୍ଫାରେ ରହି ଧ୍ୟାନ କରୁଥିବା କିମ୍ବଦନ୍ତିରୁ ସୂଚନା ମିଳେ। ଏହି ମନ୍ଦିର ମହାନଦୀର ନିକଟବର୍ତ୍ତୀ ଥିବା ସହ ସୁନ୍ଦର ପରିବେଶ ହୋଇଥିବାରୁ ଏଠାକୁ କଟକ ଓ ଆଖପାଖ ଅଞ୍ଚଳରୁ ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ବିଶେଷ କରି ଶ୍ରାବଣ ମାସରେ କାଉଡ଼ିଆମାନେ ଜଳଲାଗି ଓ ଜାଗର ସମୟରେ ବହୁସଂଖ୍ୟାରେ ଭକ୍ତ ଏଠାକୁ ଛୁଟି ଆସିଥାନ୍ତି। ଏହିଭଳି ଏକ ପ୍ରାଚୀନ ଶୈବ ପୀଠଟି ମହାନଦୀ ଗର୍ଭରେ ଲୀନ ହେବା ପୂର୍ବରୁ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗ ସୁରକ୍ଷା ଯୋଗାଇଦେବା ପାଇଁ ଅଞ୍ଚଳବାସୀଙ୍କ ଦାବି ହେଉଛି।