ମହାନଦୀ ଗର୍ଭରେ ଠାବ ହୋଇଛି ଗୋପୀନାଥ ମନ୍ଦିର: ପୁନଃଉଦ୍ଧାର ସହ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୮।୬(ବ୍ୟୁରୋ): ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ମହାନଦୀ ଗର୍ଭରେ ଠାବ ହୋଇଥିବା ୫ଶହ ବର୍ଷ ତଳ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର ସହ ଏହାକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ଏନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଧର୍ମେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ମହାନଦୀରେ ୫୦୦ ବର୍ଷ ତଳର ଗୋପିନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ୫୫ରୁ ୬୦ ଫୁଟ ଜଳମଜ୍ନ ଏହି ମନ୍ଦିର ଚୂଡ଼ର କାରୁକାର୍ଯ୍ୟ ଏବଂ ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀକୁ ବିଚାରକୁ ନେଲେ ମନ୍ଦିରଟି ୧୫୦୦ ଶତାବ୍ଦୀର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡ଼ୁଛି। ୧୯୩୩ ମସିହାରେ ହୋଇଥିବା ବନ୍ୟାରେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଇଛି। ଏଣୁ ମନ୍ଦିରର ଅଜ୍ଞାତ ଇତିହାସ, ସଂସ୍କୃତି ଏବଂ ଧାର୍ମିକ ମହତ୍ତ୍ୱକୁ ଧ୍ୟାନରେ ରଖି ଓଡ଼ିଶାବାସୀଙ୍କ ପାଇଁ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ କରିବା ପାଇଁ ଧର୍ମେନ୍ଦ୍ର କହିଛନ୍ତି।

Share